ସରକାରୀ ଜମିରେ ଥିବା ୪୦ରୁ ଉର୍ଦ୍ଧ୍ୱ ଗଛ ବେନିୟମ ଭାବେ କାଟିଥିବା ନେଇ ଅଭିଯୋଗ

ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବାକୁ ଗ୍ରାମବାସୀଙ୍କ ସଜବାଜ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କେସିଙ୍ଗା ଥାନା ବୋରିଆ କେନ୍ଦୁପଡା ସ୍ଥିତ ଦ୍ରୋଣାଚାର୍ଯ୍ୟ ପବ୍ଲିକ ସ୍କୁଲ ନିକଟରେ ଥିବା ସରକାରୀ ଜମିର ଗଛ ଗୁଡ଼ିକୁ ବେନିୟମ ଭାବେ କଟାଯାଇଥିବା ଅଭିଯୋଗ ହେଉଛି । ବିନା କାରଣରେ ଦିନ ଦ୍ୱିପ୍ରହରରେ ସରକାରୀ ଜମିରେ ଥିବା ଏକାଧିକ ଗଛକୁ ଦ୍ରୋଣାଚାର୍ଯ୍ୟ ପବ୍ଲିକ ସ୍କୁଲ କତ୍ତୃପକ୍ଷ କାଟି ଦେଇଥିବା ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି । ସରକାରୀ ଜମିରେ ଥିବା ଗଛ ଗୁଡିକ ସ୍କୁଲର ସୌନ୍ଦର୍ଯ୍ୟ ହାନି କରୁଥିଲା ବୋଲି ଦ୍ରୋଣାଚାର୍ଯ୍ୟ ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷ ଗ୍ରାମବାସୀଙ୍କୁ କହିଥିବା ବେଳେ ସ୍କୁଲ କତ୍ତୃପକ୍ଷଙ୍କ ଏଭଳି ବେଆଇନ କାର୍ଯ୍ୟକୁ ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ଅନୁସାରେ, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବୋରିଆ ପଞ୍ଚାୟତ କେନ୍ଦୁପଡାରେ ରହିଛି ଦ୍ରୋଣାଚାର୍ଯ୍ୟ ପବ୍ଲିକ ସ୍କୁଲ । ଏହି ସ୍କୁଲ ଜାତୀୟ ରାଜପଥ ୨୬ ପାର୍ଶ୍ବରେ ରହିଥିବା ବେଳେ ସ୍କୁଲ ସମ୍ମୁଖରେ ୮୧ ଡେସିମିଲ ସରକାରୀ (ରକ୍ଷିତ) ଜମି ରହିଛି । ଏହି ସରକାରୀ ଜମିରେ ଥିବା ପ୍ରାୟ ୪୦ରୁ ଅଧିକ ଗଛକୁ ସ୍କୁଲ କର୍ତ୍ତୃପକ୍ଷ ଶ୍ରମିକ ସହାୟତାରେ କାଟି ଦେଇଛନ୍ତି ବୋଲି ଅଭିଯୋଗ ହେଉଛି । ସ୍କୁଲର ନିଜସ୍ୱ ପର୍ଯ୍ୟାପ୍ତ ଜମି ଥିବା ଏବଂ ଗଛ ଗୁଡିକ ସ୍କୁଲ ପାଇଁ କୌଣସି ସମସ୍ୟା ସୃଷ୍ଟି କରୁନ ଥିଲା । ତଥାପି ସ୍କୁଲ କର୍ତ୍ତୃପକ୍ଷ କେଉଁ ଉଦେଶ୍ୟରେ ଗଛ କାଟିଲେ ତାହା ଜଣା ପଡୁନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ପୁଣି ସରକାରୀ ଜମିରେ ଥିବା ଏକାଧିକ ଗଛକୁ ତହସିଲ ପ୍ରଶାସନର ବିନା ଅନୁମତିରେ କିପରି କାଟିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ କିମ୍ବା ବେସରକାରୀ ସ୍ଥାନରେ ଥିବା ଗଛ କାଟିବାକୁ ହେଲେ ବନ ବିଭାଗର ଅନୁମତି ଲୋଡ଼ା ପଡିଥାଏ । ହେଲେ ଏଠାରେ ସ୍କୁଲ କର୍ତ୍ତୃପକ୍ଷ ତହସିଲ ପ୍ରଶାସନ କିମ୍ବା ବନ ବିଭାଗ କାହାଠାରୁ ଅନୁମତି ନ ନେଇ କେଉଁ ଅଧିକାର ବଳରେ ଗଛ କାଟିଲେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଉକ୍ତ ସରକାରୀ ଜମିର ସୁରକ୍ଷା ଏବଂ ପରିବେଶ ରକ୍ଷା ପାଇଁ ବିଭିନ୍ନ ଗଛ ଗୁଡିକ ଲଗାଯାଉଛି । ହେଲେ ଏ ଦିଗରେ ସ୍କୁଲ କର୍ତ୍ତୃପକ୍ଷ ଆଦୌ ଚିନ୍ତା ନକରି ସଂଖ୍ୟାଧିକ ଗଛ ହାଣି ପକାଇବା ଏକ ପରିତାପର ବିଷୟ । ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବାକୁ ସଜବାଜ ହେଉଥିବା ଶୁଣିବାକୁ ମିଳିଛି । ଅଭିଯୋଗକୁ ନେଇ ସ୍କୁଲର ଜନୈକଙ୍କୁ ଫୋନ୍ ଯୋଗେ ପଚାରିବାରୁ, ସ୍କୁଲ କତ୍ତୃପକ୍ଷ ଗଛ କାଟିବା ଘଟଣାକୁ ଅସ୍ବୀକାର କରିବା ସହ କିଏ ଗଛ ଗୁଡ଼ିକ କାଟିଛି ଆମେ ଜାଣି ନାହୁଁ ବୋଲି ପ୍ରକାଶ କରିଛନ୍ତି । ଅପରପକ୍ଷରେ ଗଛ କଟା ଅଭିଯୋଗକୁ ନେଇ କେସିଙ୍ଗା ଉତ୍ତର ବନଖଣ୍ଡ ବନପାଳ ଦୀନବନ୍ଧୁ ମେହେରଙ୍କ ପ୍ରତିକ୍ରିୟା ନେବା ପାଇଁ ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ଟିକୁ ରିସିଭ କରିନଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.