ଭବାନୀପାଟଣା ବ୍ଲକ ସାକ୍ଷରତା ମିଶନର ସଚେତନତା ରଥ ଓ ପଥପ୍ରାନ୍ତ ନାଟକର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଶିକ୍ଷା ପ୍ରତ୍ୟେକ ମଣିଷର ଜନ୍ମଗତ ଅଧିକାର । ବର୍ତ୍ତମାନ ସମୟରେ ଶିକ୍ଷାର ଆବଶ୍ୟକତା ଜୀବନ କ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଶ୍ୱ । ବିନା ଶିକ୍ଷାରେ ଅନେକ ସମୟରେ ଠକାମି ଭଣ୍ଡାମିର ଶିକାର ହେବାକୁ ପଡ଼ିଥାଏ । ଏ ଦିଗରେ ପ୍ରତ୍ୟେକ ବ୍ୟକ୍ତି ସାକ୍ଷର ହେବାର ସମୟ ଆସିଛି ବୋଲି ସ୍ଥାନୀୟ ଦୁଆରସୁନି ଗ୍ରାମ ପଂଚାୟତର ଅଟ୍ଟାଙ୍ଗଗୁଡା ଗ୍ରାମରେ ବ୍ଲକ ସ୍ତରୀୟ ‘ପଢନା ଲିଖନା ଅଭିଯାନ’ ସଚେତନତା କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଭବାନୀପାଟଣା ବିଇଓଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଓ ସମ୍ମାନିତ ଅତିଥି ଏଡିଇଓ ଟେମଲାଲ ଦୁବେ ଯୋଗଦେଇ ‘ପଢନା ଲିଖନା ସଚେତନତା ରଥ’କୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏବିଇଓ ଜୟକୁମାର ମାଝୀ, ଅଟ୍ଟାଙ୍ଗଗୁଡା ହାଇସ୍କୁଲ ପ୍ରଧାନଶିକ୍ଷକ ଆଶୁତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସଚେତନ ମୂଳକ ପଥପ୍ରାନ୍ତ ନାଟକ ‘ଉକିଆ’ ପରିବେଷିତ ହୋଇଥିଲା । ନାଟକଟିର ରଚନା ଓ ନିର୍ଦ୍ଦେଶନା ଶିକ୍ଷକ ବିରଞ୍ଚି ମୁଣ୍ଡ ଓ ଡିଲେଶ୍ବର ରଣା ଦେଇଥିବା ବେଳେ ବିଭିନ୍ନ ଭୂମିକାରେ ଶିକ୍ଷକ ଡିଲେଶ୍ବର ରଣା, ବିରଞ୍ଚି ମୁଣ୍ଡ, ତ୍ରିନାଥଶ୍ୟାମ କୁମାର ଓ ଧନଞ୍ଜୟ ସାହୁ ଅଭିନୟ କରୁଛନ୍ତି । ସୂଚନାଯୋଗ୍ୟ ଯେ, ଏହି ସଚେତନତା ରଥ ଭବାନୀପାଟଣା ବ୍ଲକର ୩୬ଟି ପଂଚାୟତ ପରିଭ୍ରମଣ କରିବ । ସେହିପରି ନାଟକ ‘ଉକିଆ’ ମଧ୍ୟ ସେହି ଗାଁ ମାନଙ୍କରେ ପରିବେଷିତ ହୋଇ ଲୋକଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ସକ୍ରିୟ ଓ ସଚେତନ କରିବ । ପ୍ରଥମ ଦିନରେ ଏହି ରଥ ଦୁଆରସୁନି, ଶଗଡ଼ା, ଚାଂଚେର, ତଳବେଳଗାଁ, ଯୁଗସାଇପାଟଣା ପଂଚାୟତ ବୁଲିବା ସହ ପଥପ୍ରାନ୍ତ ନାଟକ ମଂଚସ୍ଥ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.