ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ଭାରତୀୟ ରେଡ଼ କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ଓ ଜିଲ୍ଲା ଜୁନିୟର ରେଡ଼କ୍ରସ ସୋସାଇଟି ମାଲକାନଗିରିର ମିଳିତ ଆନୁକୂଲ୍ୟରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାଥିଲି ପରିସରରେ ଜିଲ୍ଲାର ୩୦ ଜଣ ଜୁନିୟର ରେଡ଼କ୍ରସ ପରାମର୍ଶଦାତା ଓ ପରାମର୍ଶଦାତ୍ରୀମାନଙ୍କୁ ନେଇ ଆୟୋଜିତ ହୋଇଥିବା ତିନି ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇ ଯାଇଛି। ମାଲକାନଗିରି ଜିଲ୍ଲା ଶାରୀରିକ ଶିକ୍ଷା ପରିଦର୍ଶକ ରତିକାନ୍ତ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଥିଲି ଥାନା ଅଧିକାରୀ ରାମ ପ୍ରସାଦ ନାଗ ଏବଂ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶ୍ରୀଯୁକ୍ତ ଜୟନ୍ତ କୁମାର ମହାଳିକ, ରାଜ୍ୟ ସାଧନକର୍ମୀ ଯଜ୍ଞେଶ୍ବର ପଣ୍ଡା ଯୋଗଦାନ କରି ପ୍ରଶିକ୍ଷାର୍ଥୀମାନଙ୍କୁ ରେଡ଼କ୍ରସର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ରେଡ଼କ୍ରସର ମୂଳନୀତି, ହେନେରୀ ଡୁନାଣ୍ଟଙ୍କ ଜୀବନୀ, ରେଡ଼କ୍ରସର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ପରାମର୍ଶଦାତା ଓ ପରାମର୍ଶଦାତ୍ରୀମାନେ ନିଜ ନିଜର ବିଦ୍ୟାଳୟକୁ ଯାଇ ବିଦ୍ୟାଳୟ ଜୁନିୟର ରେଡ଼କ୍ରସ କମିଟି ଗଠନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସାମିଲ କରି ସେମାନଙ୍କୁ ବିଭିନ୍ନ ସେବା ମୂଳକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସାଧନକର୍ମୀ ରଶ୍ମିରଞ୍ଜନ ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସାଧନକର୍ମୀ ନିରଞ୍ଜନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସାଧନକର୍ମୀ ମନୋଜ ମହାପାତ୍ର ଅତିଥିମାନଙ୍କୁଆମନ୍ତ୍ରଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ପୂର୍ନେନ୍ଦୁ ଭୂଷଣ ପ୍ରଧାନ, ଶିକ୍ଷୟିତ୍ରୀ ରାଜଶ୍ରୀ ଦାଶଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତାବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରୀବୃନ୍ଦ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।