ଶୋଚନୀୟ ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ର, ପୁନଃରୁଦ୍ଧାର ଦାବୀ

ନାମକୁ ମାତ୍ର ଅଛି ଅଙ୍ଗନୱାଡ଼ି କେନ୍ଦ୍ର: ନଳକୂପ, ଶୌଚାଳୟର, ବିଦ୍ୟୁତ, ବାଡ କିଛି ବି ନାହିଁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ମହିଳା ଓ ଶିଶୁ ମାନଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଏଥି ମଧ୍ୟରୁ ଅଙ୍ଗନୱାଡ଼ି କେନ୍ଦ୍ର ଅନ୍ୟତମ। ତେବେ ଜିଲ୍ଲାର ଅନେକ ଅଙ୍ଗନୱାଡ଼ି କେନ୍ଦ୍ରର ଅବସ୍ଥା ଶୋଚନୀୟ ହୋଇ ପଡିଥିବାବେଳେ ଆଗକୁ କୈାଣସି ଅଘଟଣର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। କଳାହାଣ୍ଡି ଜିଲ୍ଲା ଅନେକ ସମୟରେ ଛତୁଆ, ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ଆସୁଥିବା ପୃଷ୍ଟିକର ଖାଦ୍ୟ ପାଇଁ ଚର୍ଚ୍ଚିତ। ଏପଟେ ଜିଲ୍ଲାର କର୍ଲାମୁଣ୍ଡା ବ୍ଲକରେ ଅନେକ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡିକ ଶୋଚନୀୟ ଓ ଅବହେଳିତ ଅବସ୍ଥାରେ ପଡିରହିଛି। ୨୦୧୫ ମସିହାରେ ଭୁପିନ୍ଦର ସିଂ ରାଜ୍ୟ ସଭା ସାଂସଦ ଥିବା ସମୟରେ ବୋରପଦର ଗ୍ରାମ ପଞ୍ଚାୟତକୁ ଆଦର୍ଶ ଗ୍ରାମପଞ୍ଚାୟତରେ ସାମିଲ କରିଥିଲେ। କିନ୍ତୁ ଦୀର୍ଘ ବର୍ଷରୁ ବୋରପଦର ପଞ୍ଚାୟତ ଅଧୀନରେ ଥିବା ବଣପାହାଡ଼ ଘେର ବତୀକୁପା ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ର ଏବେ ମଧ୍ୟ ଶୋଚନୀୟ ଅବସ୍ଥାରେ ପଡି ରହିଛି। ଏହି ଗ୍ରାମରେ ୫୮ପରିବାର ବସବାସ କରନ୍ତି। ୧୦ ଜଣ ଶିଶୁ ଅଙ୍ଗନବାଡି କେନ୍ଦ୍ରକୁ ଯାଉଥିବା ବେଳେ ୫ ଜଣ ଗର୍ଭବତୀ ମହିଳା ଅଛନ୍ତି। ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରରେ ନଳକୂପ ଓ ଶୌଚାଳୟର ବ୍ୟବସ୍ଥା ଥିବା ବେଳେ ଏଠି କିନ୍ତୁ ତାହା ଦେଖାନାହିଁ। ବର୍ଷା ଦିନରେ ବର୍ଷା ପାଣି କେନ୍ଦ୍ର ଭିତରୁ ପଶି ଚାଉଳ, ଡାଲି ଓ ବିଭିନ୍ନ ପୃଷ୍ଟି କର ଖାଦ୍ୟ ସବୁ ଭିଜି ନଷ୍ଟ ହୋଇଥାଏ। ଫଳରେ କାର୍ଯ୍ୟ କରିବା ସମୟରେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଙ୍ଗନବାଡି କର୍ମୀ ମୋହିନୀ ମାଝୀ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି। ପାଣି ଶୌଚାଳୟ ଓ ବିଦ୍ୟୁତର ସୁବିଧା ନଥିବାରୁ ଶିଶୁ ମାନେ ଅଙ୍ଗନୱାଡି କେନ୍ଦ୍ରକୁ ଯିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ବୋଲି ଅଭିଭାବକ ମାନେ କହିଛନ୍ତି। ଅଙ୍ଗନୱାଡି କେନ୍ଦ୍ରକୁ ପୁନଃରୁଦ୍ଧାର ପାଇଁ ଗ୍ରାମବାସୀ ମାନେ ଦାବି କରୁଛନ୍ତି। ଗତ କିଛିଦିନ ତଳେ ରାଜ୍ୟସଭା ସାଂସଦ ସୁଜିତ କୁମାର କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ୍‌ରେ ନିମ୍ନମାନର ଛତୁଆ ବଣ୍ଟନକୁ ନେଇ ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ଏକ ଚିଠି ଲେଖିଥିଲେ। କିନ୍ତୁ ଏଭଳି ଶୋଚନୀୟ ଅବସ୍ଥାରେ ପଡିରହିଥିବା ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରମାନଙ୍କୁ ପୁନଃଉଦ୍ଧାର ପାଇଁ ଦୃଷ୍ଟି ଦେବେ ବୋଲି ଗ୍ରାମବାସୀ ଓ ବୁଦ୍ଧିଜୀବୀ ମାନେ ଆଶା ବାନ୍ଧି ବସିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.