ବିଶ୍ୱନାଥପୁରଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ରେକର୍ଡ ସଂଖ୍ୟକ ୩୯୬ ଅଭିଯୋଗ ପଞ୍ଜୀକୃତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇବର୍ଷର ସ୍ଥଗିତ ରହିଥିବା ବେଳେ ଆଜି ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କଳାହାଣ୍ଡି ଜିଲ୍ଲାପାଳ ଡ. ଗାଭାଲି ପରାଗ ହର୍ଷଦ, ପିଡି ଡିଆର୍‌ଡିଏ ସୋମେଶ କୁମାର ଉପାଧ୍ୟାୟ, ସିଡିଏମ୍‌ଓ ଡ. କସ୍ତୁରୀ ମିଶ୍ର, କେସିଙ୍ଗା ଏସ୍‌ଡିପିଓ ଅଭିନବ ସୋନକର, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ଏବିଡିଓ ବିଭୂତିଭୂଷଣ ଶତପଥିଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟାର ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ଏହି ଅବସରରେ ବ୍ଲକର ୨୬ଟି ପଞ୍ଚାୟତ ଅଞ୍ଚଳର ଅନେକ ପୁରୁଷ ଓ ମହିଳା ଯୋଗ ଦେଇ ନିଜ ନିଜର ଅଭିଯୋଗ ଦାଖଲ କରିଥିବାବେଳେ ଜିଲ୍ଲାର ସର୍ବକାଳୀନ ରେକର୍ଡ ସଂଖ୍ୟକ ୩୯୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ମୋବାଇଲ ଯୋଗାଯୋଗ, ବିଦ୍ୟୁତ୍ ସେବା ଆଦି ବିଭିନ୍ନ ପ୍ରସଙ୍ଗରେ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅବସରରେ ବ୍ଲକ ଅଞ୍ଚଳର ଜନସାଧାରଣଙ୍କ ସହିତ ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ ଓ ସମିତିସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.