ଜୁନାଗଡଠାରେ ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାେରାହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଛାତ୍ର ଶକ୍ତି ରାଷ୍ଟ୍ର ଶକ୍ତି। ଏହି ଉକ୍ତିର ଯଥାର୍ଥତାକୁ ଭିତ୍ତି କରି ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ, ପ୍ରାଥମିକ ଶିକ୍ଷକ ସଂଘ ଜୁନାଗଡ, ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ଧର୍ମଗଡ, ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା ଏବଂ ସ୍ବାଗତ ଲାଇବ୍ରେରୀ ଜୁନାଗଡର ମିଳିତ ଆନୁକୂଲ୍ୟରେ ଜୁନାଗଡ ବ୍ଲକର ୪୩ଟି ଉଚ୍ଚ ବିଦ୍ୟାଳୟର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ନିଜ ନିଜ ବିଦ୍ୟାଳୟରୁ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ “ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାେରାହ” ଅନୁଷ୍ଠିତ ହୋଇଯାଇଛି।

ସରକାରୀ ଉଚ୍ଚ ବିଦ୍ୟାଳୟ ଜୁନାଗଡ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜୁନାଗଡ ଦୁଲାରାମ ମାରାଣ୍ଡି ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ଜଣେ ଭଲ ନାଗରିକ ହେବା ପାଇଁ ଆହ୍ବାନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ବ୍ଲକ ସହ ଶିକ୍ଷା ଅଧିକାରୀ ଦୁର୍ବେ ମେହେର, ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ତ୍ତବ୍ଯର ମୂଖ୍ଯ ପରିଚାଳକ ଅଶୋକ ପଟ୍ଟନାୟକ, ପ୍ରାଥମିକ ଶିକ୍ଷକ ସଂଘ ଜୁନାଗଡ ସଭାପତି ସରୋଜ କୁମାର ପଣ୍ଡା, ସିଆରସିସି ଜୁନାଗଡ ଗୋଦାବରୀଶ ପଣ୍ଡା, ସମାଜସେବୀ ଉଦ୍ଧବ ଚରଣ ସାହୁ ପ୍ରମୂଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। ବରିଷ୍ଠ ଶିକ୍ଷକ ସୁଧିର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିଲେ।

ସଂଗଠନର ଜିଲ୍ଲା ସଂଯୋଜକ ଶିକ୍ଷାବିତ ବସନ୍ତ ନାଏକ ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଏହି ଅବସରରେ ବ୍ଲକର ୪୩ଟି ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସ୍ବରୂପ ମାନପତ୍ର, ଟ୍ରଫି ଓ ପୁସ୍ତକ ପ୍ରଦାନ କରାଯାଇଥିଲା। ଶେଷରେ ସଂଜୟ ସୁନାନୀ ଧନ୍ଯବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଯୁବ ସଂଗଠକ ପ୍ରଭାତ ଦାସ, ଅଜୟ କୁମାର ଦାସ ପ୍ରମୂଖ ସକ୍ରିୟ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.