ସ୍ଥାପନ ହୋଇପାରିନି ବୋର୍ଡାରେ ଅତିରିକ୍ତ ତହସିଲ କାର୍ଯ୍ୟାଳୟ, କାମଦେଉନାହିଁ ହାଇକୋର୍ଟଙ୍କ ନିର୍ଦ୍ଦେଶ!

ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ସାଇନିଂ କଳାହାଣ୍ଡି ଅଧ୍ୟକ୍ଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସଦର ବ୍ଲକରେ ରହିଛି ସର୍ବାଧିକ ୩୬ଗୋଟି ଗ୍ରାମପଞ୍ଚାୟତ । ଏତେ ସଂଖ୍ୟକ ଗ୍ରାମପଞ୍ଚାୟତ ଓ ଜନସଂଖ୍ୟା ପାଇଁ ଭବାନୀପାଟଣାରେ ରହିଛି ଏକ ତହସିଲ କାର୍ଯ୍ୟାଳୟ । ତେବେ ଭବାନୀପାଟଣା ବ୍ଲକ ତଥା କଳାହାଣ୍ଡି ଜିଲ୍ଲା ସୀମାନ୍ତରେ ଥିବା ବୋର୍ଡା, ସେଁପୁର, ମାଟିଆ, ମାଦିଗୁଡା, ଗୁରଜୁଙ୍ଗ, ଡୁମୁରିଆ, ପଳନା, ସିକୁଆଁ, କେନ୍ଦୁପାଟି, ବୋରଭଟା ପ୍ରଭୃତି ୧୦ରୁ ଅଧିକ ପଞ୍ଚାୟତର ହଜାର ହଜାର ଲୋକେ ଜମିଜମା ସଂକ୍ରାନ୍ତୀୟ ସମସ୍ୟା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ତହସିଲ କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ ଥିବାବେଳେ ଦୂରତା ଏଥିରେ ବାଧକ ସାଜୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥା ପହଞ୍ଚାଇବାକୁ ତତ୍ପର ଥିବାବେଳେ ତହସିଲ ସଂପର୍କୀୟ ସମସ୍ୟାର ସମ୍ମୁଖୀନ ହେଉଥିବା ଚାଷୀ ଓ ସାଧାରଣ ଜନତାଙ୍କ ସୁବିଧା ପାଇଁ ଓଡ଼ିଶାର ଅଗ୍ରଣୀ ବୁଦ୍ଧିଜୀବୀ ସଂଗଠନ ସାଇନିଂ କଳାହାଣ୍ଡି ତରଫରୁ ଏ ସଂପର୍କରେ ବାରମ୍ବାର ଦାବି କରି ସୁଫଳ ନମିଳିବାରୁ ସଂଗଠନ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏହି ଦାବି ନେଇ ଜନସ୍ୱାର୍ଥ ମାମଲା ଦାୟର କରିଥିଲା । ମାନ୍ୟବର ହାଇକୋର୍ଟ ଏହାର ବିଚାର କରି ମିଲ୍କୀ ଅଞ୍ଚଳର ବୋର୍ଡାଠାରେ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ସ୍ଥାପନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବୋର୍ଡାଠାରେ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଗତ ୨୦୧୯ ଜାନୁୟାରୀ ୧୫ ତାରିଖରେ ମାନ୍ୟବର ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି କେ.ଏସ୍ ଜାଭେରୀ ଓ ନ୍ୟାୟମୂର୍ତ୍ତି କେ.ଆର୍ ମହାପାତ୍ରଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏ ସଂପର୍କିତ ରାୟ ପ୍ରଦାନ କରିଥିଲେ । ଆବେଦନକାରୀ ସାଇନିଂ କଳାହାଣ୍ଡିର ଅଧ୍ୟକ୍ଷ ବିଶିଷ୍ଟ କବି ଓ ରାଜନେତା ଡ. ଭବାନୀଶଙ୍କର ନିଆଲ, ସଞ୍ଜୀବ କୁମାର ମିଶ୍ର, ରୋଶନଲାଲ ଛତର, ଯୁଧିଷ୍ଟିର ଜାଲ ଓ ସ୍ୱର୍ଗତ ନୀଳାଞ୍ଚଳ ସାହୁ ପ୍ରମୁଖଙ୍କ ସହିତ ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ପକ୍ଷଭୁକ୍ତ କରି ଏହି ରାୟ ପ୍ରଦାନ କରିଥିଲେ । ଏପରିକି ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମାନ୍ୟବର ହାଇକୋର୍ଟ ରାଜସ୍ୱ ସଚିବଙ୍କୁ ସୁଦ୍ଧା ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ପର୍ଯ୍ୟନ୍ତ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିନାହିଁ । ଫଳରେ ମିଲ୍କୀ ଅଞ୍ଚଳବାସୀ ପୁଣିଥରେ ନିରାଶ ହୋଇପଡିଛନ୍ତି । ଏଣୁ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହିତ ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିବାକୁ ସାଇନିଂ କଳାହାଣ୍ଡିର ଅଧ୍ୟକ୍ଷ ଡ. ଭବାନୀଶଙ୍କର ନିଆଲ ଜିଲ୍ଲାର ନୂତନ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.