ମହିଳାଙ୍କ ଶବ ଉଦ୍ଧାର, ବାପା ଘରେ ଆଣିଲେ ହତ୍ୟା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଘୁମେରଗୁଡା ଗାଁର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ବାପା ଘର ଲୋକ ଝିଅକୁ ହତ୍ୟା କରାଯାଇଛି ବୋଲି କୋକସରା ଥାନାରେ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁସାରେ ଚାରବାହାଳ ପଞ୍ଚାୟତ ଘୁମେରଗୁଡା ଗ୍ରାମର ଯୁବକ ଧନଞ୍ଜୟ ଲହଜଳ ଓରଫ ଡ଼ମ ଧର୍ମଗଡ ବ୍ଲକ ପର୍ଲା ଗାଁର ମଛିନ୍ଦ୍ର ଗୋପାଳଙ୍କ ଝିଅ ଲତା ଗୋପାଳଙ୍କୁ ଗତ ମାସ ତଳେ ପ୍ରେମ ବିବାହ କରି ନିଜ ଘରକୁ ନେଇ ଆସିଥିଲେ। ତେବେ ଶୁକ୍ରବାର ମଧ୍ୟାହ୍ନରେ ଧନଞ୍ଜୟ ଲହଜଳ ଲତାର ବାପ ଘରକୁ ଫୋନ କରି ତମ ଝିଅ ଆତ୍ମହତ୍ୟା କରିଛି ଓ ତା’ର ମୃତ୍ୟୁ ହୋଇଛି ବୋଲି କହିଥିଲେ। ଖବର ଶୁଣି ଲତାଙ୍କ ବାପଘର ଲୋକେ ଆସି ଘଟଣା ସମ୍ପର୍କରେ ଆମ ଝିଅ କୁ ହତ୍ୟା କରାଯାଇଛି ବୋଲି ମୋଟେର ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତ୍ୱରିତ ପଦକ୍ଷେପ ନେଇ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ କରିବା ସହ ଧନଞ୍ଜୟ ଲହଜଳଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା ପାଇଁ କୋକସରା ଥାନାକୁ ଆଣି ଅଟକ ରଖିଛନ୍ତି। ଆଜି ସକାଳୁ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାରଙ୍କ ନେତୃତ୍ୱରେ ଓ ସାଇଣ୍ଟିଫିକ ଟିମ ର ତଦନ୍ତ ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ହସ୍ପିଟାଲକୁ ଆଣି ବ୍ୟବଚ୍ଛେଦ କରାଯାଇଛି। ଏନେଇ କୋକସରା ଥାନାରେ ଏକ ଅପମୃତ୍ୟ ମାମଲା ୧୬୪/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଳି ତଦନ୍ତକାରୀ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.