ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଗମ୍ଭାରୀଗୁଡା ଓ ମୋଟେର ପଞ୍ଚାୟତର ଦୁଇଟି ପରିବାର ବାସହରା ହୋଇଥିବା ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ମୋଟେର ଗ୍ରାମର ବୃଦ୍ଧା କୁମାରି ପୁଝାରି (୬୦)ଙ୍କ ଘର ସମ୍ପୂର୍ଣ୍ଣ ରୁପେ ଭାଙ୍ଗି ଯାଇଛି। ସେହିପରି ଗମ୍ଭାରୀଗୁଡା ପଞ୍ଚାୟତ ସିର୍ଲିଗୁଡା ଗ୍ରାମର ଦନାର ଦୁର୍ଗା (୫୩)ଙ୍କ ଘରର ଗୋଟିଏ ପଟ କାନ୍ଥ ସମ୍ପୁର୍ଣ୍ଣ ଭୁଷୁଡ଼ି ପଡିଥିବା ବେଳେ ବର୍ତ୍ତମାନ ଦନାର ଦୁର୍ଗା, ସ୍ତ୍ରୀ ଯମୁନା ଦୁର୍ଗା, ବୋହୂ ଭୂମିଲତା, ପୁଅ ଗୋପବନ୍ଧୁ ଦୁର୍ଗା, ଓ ସାନପୁଅ ଚମ୍ପେଶ୍ୱର ଦୁର୍ଗା ଅତି ଦୟନୀୟ ଅବସ୍ଥାରେ ଲଗାଣ ବର୍ଷାରେ ରହୁଛନ୍ତି। ଅନ୍ୟ ପଟେ ବୃଦ୍ଧା କୁମାରି ପୁଝାରିଙ୍କୁ ଘର ଭାଙ୍ଗିବା ପରେ କୌଣସି ସରକାରୀ ସହାୟତା ମିଳିନାହିଁ। ବୃଦ୍ଧା ଜଣକ ଏକୁଟିଆ ରହୁଥିବା ବେଳେ ତାଙ୍କର କେହି ନାହାଁନ୍ତି। ଏନେଇ ମୋଟେର ସରପଞ୍ଚ ବାସନ୍ତୀ ନାଏକଙ୍କ ପ୍ରତିକ୍ରିୟା ନେବାରୁ ଆବାସ ଯୋଜନା ତାଲିକାରେ ବୃଦ୍ଧାଙ୍କ ନାମ ରହିଛି, ଆବାସ ଘର ଆସିଲେ ତାଙ୍କୁ ଦିଆଯିବ ବୋଲି କହିଛନ୍ତି ଓ ରାଜସ୍ୱ ନିରୀକ୍ଷକଙ୍କ ମୋବାଇଲ ସ୍ୱିଚ ଅଫ ଥିବାରୁ ଯୋଗାଯୋଗ ହୋଇ ପାରୁନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସିର୍ଲିଗୁଡା ଗାଁର ଦନାର ଦୁର୍ଗାଙ୍କ ଘର ଭାଙ୍ଗିବା ରିପୋର୍ଟ ପାଇବା ପରେ କୋକସରା ରାଜସ୍ୱ ନିରୀକ୍ଷିକା ଝାନ୍ସି ରାଣୀ ଦିଶାରୀ ସ୍ଥିତି ଅନୁଧ୍ୟାନ କରି ପଲିଥିନ ଖଣ୍ଡେ ଦେଇଛନ୍ତି। ହେଲେ ଆବାସ ଘର ପାଇଁ ବିଭିନ୍ନ ସମୟରେ ପଞ୍ଚାୟତ ଓ ବିଡ଼ିଓଙ୍କୁ ମଧ୍ୟ ଅଭିଯୋଗ କରିଥିବା କହିଛନ୍ତି ଦନାର ଦୁର୍ଗା। ବର୍ତ୍ତମାନ ପରିସ୍ଥିତିରେ ଆବାସ ଘର ଖଣ୍ଡିଏ ମିଳିବା ପାଇଁ ଆପତ୍ତି କରିଛନ୍ତି। ବ୍ଲକ ପ୍ରଶାସନ ଦୁଇ ଗରିବ ଅସହାୟ ପରିବାରକୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।