ବ୍ଲକ ସ୍ତରୀୟ ଏସିଏମ ଏବଂ ପମ୍ପ ଡ୍ରାଇଭର ତାଲିମ କାର୍ଯ୍ୟକ୍ରମ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି ତରଫରୁ ଜଳ ଓ ପରିମଳ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ଏସିଏମ୍‌ ଓ ପମ୍ପ ଡ୍ରାଇଭର ମାନଙ୍କର ଚାଲିଥିବା ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମଟି ବ୍ଲକର ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ହୋଇଥିବା ବେଳେ ଉଦଯାପନୀ ତାଲିମ କାର୍ଯ୍ୟକ୍ରମ ଡିଣ୍ଡିରାଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝୁଲିଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ତାଲିମ କାର୍ଯ୍ୟକ୍ରମରେ ଫିରଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏପିଓ ସୁମନ୍ତ ଉଠାଣ ସିଂ, ଜିପିଓ ରବୀନ୍ଦ୍ର ବେହେରା, ସହକାରୀ ଯନ୍ତ୍ରୀ ଜୟପ୍ରକାଶ ଜେନା, କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ପାତ୍ର, ଯନ୍ତ୍ରୀ ସୁନିଲ କୁମାର ପାତ୍ର, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ସମ୍ବାରିଆ ବେହେରା ଓ ହିଲେଶ୍ୱର ତିର୍କୀ ପ୍ରମୁଖ ଯୋଗଦେଇଥିଲେ । ୧୦ ଦିନ ଧରି ବ୍ଲକର ୨୪ଟି ପଂଚାୟତର ପ୍ରାୟ ୭୦ ଏସିଏମ ଏବଂ ପମ୍ପ ଡ୍ରାଇଭର ତାଲିମରେ ଭାଗ ନେଇଥିଲେ । ତାଲିମରେ ବିଶେଷ କରି କିଭଳି ଭାବେ ପମ୍ପ ପରିଚାଳନା କରାଯିବ ଓ ଜନସାଧାରଣ ପିଇବା ପାଣି ଠିକ ଭାବରେ ପାଇପାରିବେ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା । ସେହିଭଳି ବ୍ଲକରେ କିଭଳି ଭାବରେ ମନରେଗା ଯୋଜନାର ସଫଳ ରୂପାୟନ ହୋଇପାରିବ ସେନେଇ ତାଲିମଦାତା ମାନେ ତାଲିମ ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.