ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସୋମବାର ସନ୍ଧ୍ୟାରେ ଭବାନୀପାଟଣା ସ୍ଥିତ ଅନୁଷ୍ଠାନ ସଭାଗୃହରେ ଆୟୋଜିତ ଉକ୍ତ ସ୍ଵନକ୍ଷତ୍ର ଦିବସରେ ଅନୁଷ୍ଠାନର ସଭାପତି ଜୟନ୍ତ କୁମାର ବେହେରା ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର ସ୍ଵଂୟ ଶାସିତ ମହାବିଦ୍ୟାଳୟ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ନନ୍ଦ, ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ରାସବିହାରି ବେହେରା, ମୁଖ୍ୟ ବକ୍ତା ଭାବେ ଥୁଆମୂଳ ରାମପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା ପ୍ରମୁଖ ମଞ୍ଚାସୀନ ଥିଲେ। ଅନୁଷ୍ଠାନର ସାଧାରଣ ସମ୍ପାଦକ ସତ୍ୟନାରାୟଣ ସିଂହ ଅତିଥି ପରିଚୟ ପ୍ରଦାନ, ଉପ ସଭାପତି ସୁଶାନ୍ତ କୁମାର ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ସଂଜୀବ କୁମାର ସିଂହ ସଭା ସଂଯୋଜନା ଓ ନାଟ୍ୟ ସମ୍ପାଦକ ସୁଶାନ୍ତ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ଏହି ସ୍ଵନକ୍ଷତ୍ର ଅବସରରେ ଘୁମୁରା ନୃତ୍ୟର ଇତିହାସ, ନୃତ୍ୟ ପରମ୍ପରା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାର ପ୍ରଚାର, ପ୍ରସାର ପାଇଁ ମହାବୀର ସାଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟଧାରାକୁ ଅତିଥିମାନେ ପ୍ରଶଂସା କରିଥିଲେ।