ଦେବୀ ଘାଟି ମୁଣ୍ଡିଆଣୀଙ୍କ ପ୍ରସିଦ୍ଧ ଡଙ୍ଗରଯାତ୍ରା

ଭକ୍ତଙ୍କ ଆସ୍ଥା ଓ ବିଶ୍ବାସର ମୂର୍ତ୍ତିମନ୍ତ ସ୍ବରୂପ ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପ୍ରାଗ ଐତିହାସିକ ଯୁଗର ସ୍ବାକ୍ଷର ବହନ କରୁଥିବା ଅତିତର ଆଟବିକ, ବିଦ୍ୟାଧର ରାଜ୍ୟ, ମହାକାନ୍ତାର, କାନ୍ତାର, ଇନ୍ଦ୍ରବନ, କାରୁଣ୍ଡ ମଣ୍ଡଳ ତଥା ବର୍ତ୍ତମାନର କଳାହାଣ୍ଡିରେ ଅନେକ ପ୍ରାଚୀନ ଦେବାଦେବୀ ପୂଜିତ ହୋଇଥାନ୍ତି। ଭାରତୀୟ ଶାକ୍ତ ତନ୍ତ୍ର ଧାରାର ଏକ ବୃହତ ଶ୍ରୋତ ଅଭିଚାର ତନ୍ତ୍ର ଆଜି ମଧ୍ୟ ଏହି ମାଟିରେ ଦେଖାଯାଇଥାଏ। ଅଭିଚାର ତନ୍ତ୍ର ଧାରାର ଏକ ଶକ୍ତିଶାଳୀ ଦେବୀ ହେଉଛନ୍ତି ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀ। ପ୍ରତ୍ୟକ୍ଷ ଦେବୀ ଭାବେ ସେ ଅଞ୍ଚଳର ଜନମାନସରେ ପୂଜିତ। ଦେବୀ ଭକ୍ତଙ୍କ ମନୋସ୍କାମନା ପୂରଣ କରୁଥିବାରୁ ତାଙ୍କ ପାଖକୁ ଦୁଃଖ ଜଣାଇବାକୁ ଛୁଟି ଆସିଥାଏ ଭକ୍ତ। କୋକସରା ବ୍ଲକ ଗୋତମୁଣ୍ଡା ସିମାନ୍ତ ସାହାଜଖୋଲ ଜଙ୍ଗଳ ପାଦଦେଶରେ ଥିବା ଅଠରନଳା ଘାଟି ଠାରେ ପୂଜା ପାଉଛନ୍ତି ଦେବୀ। ଡଙ୍ଗର ଯାତ୍ରା ହେଉଛି ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣୀ ଦେବୀଙ୍କ ପ୍ରସିଦ୍ଧ ପର୍ବ। ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାର ପରବର୍ତ୍ତୀ ମଙ୍ଗଳବାର ଦିନ ଏହି ଯାତ୍ରା ପାଳିତ ହୋଇଥାଏ। ବିଶ୍ୱାସ ରହିଛି ଏହି ଯାତ୍ରା ପାଳନ କଲେ ଭଲ ବର୍ଷା ହେବା ସହ ଉତ୍ତମ ଚାଷ ହୋଇଥାଏ। ଏମିତିକି ଦେବୀଙ୍କ ରାସ୍ତାଦେଇ ଗମନା ଗମନ କରୁଥିବା ପଥିକ ମାନଙ୍କୁ ମଧ୍ୟ କୌଣସି ଅସୁବିଧା ହୁଏ ନାହିଁ ବୋଲି ବିଶ୍ୱାସ ରହିଛି। ଗ୍ରାମବାସୀ ମାନେ ମିଳିତଭାବେ କାଳିସୀ ଓ ପୁଝାରୀଙ୍କ ଗହଣରେ ଗୋତମୁଣ୍ଡା ଗ୍ରାମରୁ ପ୍ରାୟ ୩ କିମି ରାସ୍ତା ଚାଲିଚାଲି ଲାଠି ଯାତ୍ରାରେ ବାହାରିଥାନ୍ତି। ଦେବୀଙ୍କ ଆସ୍ଥାନରେ ପହଞ୍ଚିବା ପରେ ପାରଂପାରିକ ବିଧି ବିଧାନ ଅନୁକ୍ରମେ ପୂଜାର୍ଚ୍ଚନା କରାଯାଇଥାଏ। ମା’ ଙ୍କ ନିକଟରେ ଶୁକ୍ଳ ଭୋଗ ସହ ପାରା, କୁକୁଡା ଓ ବୋଦା ବଳି ଦେଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ନିଜର ମାନସିକ ପୂରଣ କରିଥାନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏବର୍ଷ ମଧ୍ୟ ଭକ୍ତମାନଙ୍କ ଗହଣରେ ବିଜେ କରିଛନ୍ତି ଦେବୀ ଘାଟି ମୁଣ୍ଡିଆଣୀ। ପଶୁପକ୍ଷୀଙ୍କ ରକ୍ତରେ ରକ୍ତରଞ୍ଜିତ ହୋଇଛି ଦେବୀଙ୍କ ପୀଠ। ଏହି ଡଙ୍ଗର ଯାତ୍ରାରେ କଳାହାଣ୍ଡି ସମେତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ ରାଜ୍ୟ ବସ୍ତର ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଆସି ଯୋଗ ଦେଇଛନ୍ତି। କରୋନା କଟକଣା ଯୋଗୁଁ ବିଗତ ୨ ବର୍ଷ ହେବ ଏହି ଯାତ୍ରାରେ ଜନସମାଗମ ହୋଇନଥିଲା। କେବଳ ବିଧିରକ୍ଷା ପାଇଁ ମା’ ଙ୍କ ପୂଜାର୍ଚ୍ଚନା ହୋଇଥିଲା। ତେବେ ଚଳିତ ବର୍ଷ ମା’ ସର୍ବମଙ୍ଗଳା ଘାଟି ମୁଣ୍ଡିଆଣି ଡଙ୍ଗର ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ମା’ ସର୍ବମଙ୍ଗଳାଙ୍କ ପୁଝାରୀ ମନୋହର ପୁଝାରୀ, ପୁଝାରୀ ଗଣନାଥ ପୁଝାରୀ ଦେବୀଙ୍କ ସମସ୍ତ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଗୋତମୁଣ୍ଡା ଗ୍ରାମର ବଲିଆରସିଂ ମରେଇ, ପାର୍ଥବ ମାଝୀ, ଗଣା ମଲୟ ବାଗ, ହିମାଞ୍ଚଳ ପୁଝାରୀ, ପୂର୍ଣ୍ଣଚନ୍ଦ୍ର ନାଏକ, ବଳରାମ ମାଝୀ, ନିରଞ୍ଜନ ବାଗ, ଇଶରାମ ଟୋଲଟିଆ, ଦୁର୍ଯ୍ୟୋଧନ କାଣ୍ଡ, ଲାଷ୍ମୀଧର ପଟେଲ, ମୁରଳୀ ଅଣ୍ଟି, ରତନ ମାଝୀ, ଶିରା ଅଖିଲ ମାଝୀ, ଶିରା ଦେବୀସିଂ ମାଝୀ, ସଭାପିତି ହେମନ୍ତ ମାଝୀ ପ୍ରମୁଖ ଏହି ଘାଟିମୁଣ୍ଡିଆଣି ଡଙ୍ଗର ଯାତ୍ରାରେ ଉପସ୍ଥିତ ରହି ସହଯୋଗ କରିଥିଲେ। ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ଦେବୀଙ୍କ ଯାତ୍ରା ସମ୍ପନ୍ନ ହୋଇଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.