ନର୍ଲା ଶାନ୍ତି ନଗର ପଡ଼ାରେ ଆଣ୍ଠୁଏ ପାଣି

ଯମ ଯନ୍ତ୍ରଣା ଭୋଗୁଛନ୍ତି ପଡ଼ାବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗତ ଗୁରୁବାର ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ନର୍ଲା ଅଞ୍ଚଳର ସ୍ଥିତି ବେହାଲ ହୋଇ ପଡିଛି । ବିଭିନ୍ନ ସ୍ଥାନର ପ୍ରାଥମିକ ବିଦ୍ୟାଳୟ, ଅନେକ ଅନୁଷ୍ଠାନ ଓ ଜନସାଧାରଣଙ୍କ ଘର ସବୁ ପାଣି ଘେରରେ ରହିଥିବା ହେତୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଥିବା ଜଣାପଡିଛି । ନର୍ଲା ମୁଖ୍ୟ ରାସ୍ତା କଡରେ ରହିଥିବା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଭିତରେ ପାଣି ପଶି ଯାଇଥିବା ବେଳେ ଡୁମାଲପଡା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଜଳବନ୍ଦୀ ସାଜିଥିଲା । ନର୍ଲା ସଦର ମହକୁମା ଭାରତୀୟ ଷ୍ଟେଟ ବ୍ୟାଙ୍କ ପଛପଟେ ରହିଥିବା ଶାନ୍ତିନଗର ପଡାବାସୀ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ଡ୍ରେନେଜ ସୁବିଧା ନଥିବା କାରଣରୁ ଉକ୍ତ ପଡା ମଧ୍ୟରେ ଆଣ୍ଠୁଏ ପାଣି ଜମିରହିଛି ଗତ ଗୁରୁବାର ଦିନ ଠାରୁ । ବଜାର, ହାଟ, ଦୈନନ୍ଦୀନ କାରବାର, ବ୍ୟାଙ୍କ କାରବାର, ଛାତ୍ରଛାତ୍ରୀ ସ୍କୁଲ, କଲେଜ ଯିବା ଆସିବା କରିବା ପାଇଁ ନର୍ଲା ୬ ଓ ୭ ଦୁଇଗୋଟି ୱାର୍ଡର ଲୋକେ ଏହି ରାସ୍ତାଟି ଉପରେ ନିର୍ଭର କରିଥାନ୍ତି । ଗତ ଗୁରୁବାର ଦିନ ଠାରୁ ଶାନ୍ତିନଗର ପଡାରେ ପାଣି ଜମି ରହିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି । ଶନିବାର ଠାରୁ ବର୍ଷା କମିଯିବାରୁ ଅବଶ୍ୟ ଏବେ ଟିକେ ପାଣି ମଧ୍ୟ କମି ଯାଇଥିଲେ ମଧ୍ୟ ଦୁର୍ଦ୍ଦଶା ଉଣା ହୋଇନାହିଁ ସାହି ବାସିନ୍ଦାଙ୍କର । ଡ୍ରେନେଜ ସୁବିଧା ନଥିବା ଯୋଗୁଁ ନର୍ଲା ମାଝୀପଡା ପଟୁ ମଇଳା ଆବର୍ଜନା ପାଣି ଆସି ଷ୍ଟେଟ ବ୍ୟାଙ୍କ ସାମନାରେ ମୁଖ୍ୟ ରାଜ୍ୟ ରାଜପଥ ଉପରେ ସବୁବେଳେ ପ୍ରବାହିତ ହୋଇଥାଏ । ଦୀର୍ଘ ବର୍ଷ ଧରି ନର୍ଲାର ବିଭିନ୍ନ ସାହି ଓ ଅନୁଷ୍ଠାନ ଗୁଡିକରେ ଏଭଳି ଜଳବନ୍ଦୀ ସମସ୍ୟା ଲାଗି ରହୁଥିଲେ ମଧ୍ୟ ପ୍ରଶାସନ କିମ୍ବା ଗ୍ରାମ ପଞ୍ଚାୟତ ତରଫରୁ ଏଥିପାଇଁ କୌଣସୀ ପ୍ରକାରର ପଦକ୍ଷେପ ନେଉ ନଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଏବେ ବର୍ଷା କମିଛି ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.