କେସିଙ୍ଗା ବ୍ଲକର ୨୬ ଗୋଟି ପଞ୍ଚାୟତରେ କାର୍ଯ୍ୟରତ ଅଛନ୍ତି ୧୭ ଜଣ ପିଇଓ

୯ ଜଣ ପିଇଓଙ୍କୁ ଅତିରିକ୍ତ ଗୋଟିଏ ଲେଖାଏଁ ପଞ୍ଚାୟତ ଦାୟିତ୍ଵ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଗଜିନ୍ଦ୍ର ସାହୁ): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଥିବା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ବଦଳି ଗତ ଜୁଲାଇ ମାସରେ ହୋଇଥିଲା ଳ। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ (ଗ୍ରାମ ପଂଚାୟତ ବିଭାଗ )ପତ୍ର ସଖ୍ୟା ୧୦୨୮, ତାରିଖ ୧୨/୭/୨୦୨୨ ଅନୁସାରେ ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ଥିବା ୧୪୧ ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନଙ୍କ ବଦଳି ହୋଇଥିଲା। ଏଥିରେ କେସିଙ୍ଗା ବ୍ଲକର ୧୩ ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟ ବଦଳି ହୋଇଥିବା ବେଳେ ସେମାନଙ୍କୁ ରିଲିଭ ମଧ୍ୟ କରାଯାଇଥିଲା। ତାଙ୍କ ସ୍ଥାନରେ ନୂଆ ପିଇଓ ଯୋଗଦାନ କରି ବିଭିନ୍ନ ପଂଚାୟତର ଦାୟିତ୍ଵ ନେଇଥିବା ଜଣାପଡିଛି। କେସିଙ୍ଗା ବ୍ଲକର ୨୬ ଗୋଟି ପଂଚାୟତ ପାଇଁ ୨୬ ଜଣ ପିଇଓ ନିଯୁକ୍ତି ହେବାର ନିୟମ ରହିଥିଲେ ମଧ୍ୟ କେବଳ ୧୭ ଜଣ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟରତ ଅଛନ୍ତି। କାର୍ଯ୍ୟରତ ଥିବା ୧୭ ପିଇଓଙ୍କ ମଧ୍ୟରୁ ୯ ଜଣ ପିଇଓଙ୍କୁ ଦୁଇ ଗୋଟି ପଂଚାୟତ ଲେଖାଏଁ ଦାୟିତ୍ଵ ଦିଆଯାଇଛି। ଫଳରେ ପଂଚାୟତ ସ୍ତରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁସାରେ କାଣ୍ଡେଲ ଓ ପରଲସିଙ୍ଗା ପଂଚାୟତ ଦାୟିତ୍ବରେ ପିଇଓ ଝସକେତନ ସାହୁ ରହିଥିବା ବେଳେ କିକିଆ ଓ କୁଣ୍ଡାବନ୍ଧ ପଂଚାୟତ ଦାୟିତ୍ବରେ ବେଣୁଧର କନ୍ଧପାନ ରହିଛନ୍ତି। ସେହିପରି କନ୍ତେଶିର ଓ ଫଟକାମାଲ ପଂଚାୟତ ଦାୟିତ୍ଵରେ ପିଇଓ ଗଜାନନ୍ଦ ନାଏକ ଏବଂ ପିଇଓ ଗଜିନ୍ଦ୍ର ସାହା ଲଇତରା ଓ ସିରୋଲ ପଂଚାୟତ ଦାୟିତ୍ବରେ ଅଛନ୍ତି। କଶୃପଡା ଓ ଗୋକୁଳେଶ୍ବର ପଂଚାୟତରେ ପିଇଓ ଝସକେତନ ଭୋଇ ଏବଂ ଚାଞ୍ଚେର ଓ ଉତ୍କେଲା ପଂଚାୟତରେ ପିଇଓ ଲମ୍ବୁ ଶିଖା କାର୍ଯ୍ୟରତ ଅଛନ୍ତି। ସେହିପରି ତୁର୍ଲାଖମନ ଓ ବେଲଖଣ୍ଡି ପଂଚାୟତରେ ପିଇଓ ପାର୍ଥବ ରଣା, ହାତୀଖୋଜ ଓ ସିର୍ଜାପାଲି ପଂଚାୟତରେ ପିଇଓ ପ୍ରହଲ୍ଲାଦ ସୁନା ଏବଂ ନାସିଗାଁ ଓ ଅଧମୁଣ୍ଡା ପଂଚାୟତରେ ପିଇଓ ଶିବପ୍ରସାଦ ସାହୁ କାର୍ଯ୍ୟରତ ରହିଥିବା ଜଣାପଡିଛି। କେସିଙ୍ଗା ବ୍ଲକର ଗୋଟିଏ ଲେଖାଏଁ ପଂଚାୟତରେ ୮ ଜଣ ପିଇଓ ନିଯୁକ୍ତି ହୋଇ କାର୍ଯ୍ୟରତ ଥିବା ଜଣାପଡିଛି। ଯାହାକି ପାଷ୍ଟିକୁଡି ପଂଚାୟତରେ ପିଇଓ ମନୋଜ କୁମାର ଶବର, ବାଲସି ପଂଚାୟତରେ ପିଇଓ ନରହରି ଭୋଇ, ଦେଓଗାଁ ପଂଚାୟତରେ ପ୍ରଶାନ୍ତ କୁମାର ଦାସ, ନୁନମାଠ ପଂଚାୟତରେ ରୁପାଧର ମାଝୀ, ବୋରିଆ ପଂଚାୟତରେ ଶଙ୍କର ପଧାନ, ଗାଈଗା ପଂଚାୟତରେ ସୁଦେଶ କୁମାର ପାଢ଼ୀ, ପଥର୍ଲା ପଂଚାୟତରେ ସୁର୍ଯ୍ୟମଣୀ ଦୁର୍ଗା ଏବଂ ତୁଣ୍ଡଲା ପଂଚାୟତରେ ପିଇଓ ଉମାଶଙ୍କର ପଧାନ କାର୍ଯ୍ୟରତ ଥିବା ଜଣାପଡିଛି। ତେବେ ବ୍ଲକର ଅଧିକାଂଶ ପଂଚାୟତରେ ପିଇଓ ପଦବୀ ଖାଲି ପଡିଥିବା ବେଳେ ଅନ୍ୟ ପଂଚାୟତରେ ନିଯୁକ୍ତି ପାଇଥିବା ପିଇଓଙ୍କୁ ଖାଲି ପଡିଥିବା ପଂଚାୟତ ପିଇଓ କାର୍ଯ୍ୟ ତୁଲାଇବା ପାଇଁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଫଳରେ ବିଭିନ୍ନ ଉନ୍ନୟନମୂଳକ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାର ପଂଚାୟତିରାଜ ବିଭାଗ ଜରିଆରେ ପଂଚାୟତ ସ୍ତରରେ ବିକାଶକୁ ଫୋକସ କରିଛନ୍ତି। ପ୍ରତି ପଂଚାୟତରେ ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା, ରାସ୍ତା ନିର୍ମାଣ ଓ ମରାମତି ଭଳି ଉନ୍ନୟନମୂଳକ କାର୍ଯ୍ୟ ପଂଚାୟତ ଜରିଆରେ ସଂପାଦନା ହେଉଛି। ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ପିଇଓ ମାନେ ନୋଡାଲ ଅଫିସର ଭାବେ କାମ କରୁଥିବା ବେଳେ ଶ୍ରମିକ ମାନଙ୍କୁ ମନରେଗା ଯୋଜନାରେ କାମ ଯୋଗାଇ ଦେବାରେ ମଧ୍ୟ ପିଇଓଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ହେଲେ ବ୍ଲକରେ ଅଧିକାଂଶ ପିଇଓଙ୍କ ଅଭାବ ରହିଥିବା ହେତୁ ପଂଚାୟତର ଗାଁ ମାନଙ୍କରେ ବିଭିନ୍ନ ଯୋଜନାର ଆଶାନୁରୂପକ ସଫଳତା ମିଳୁନାହିଁ ବୋଲି ଅଭିଯୋଗ ହେଉଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇ କେସିଙ୍ଗା ବ୍ଲକର ସମସ୍ତ ପଂଚାୟତରେ ପିଇଓ ନିଯୁକ୍ତି କରିବାକୁ ନେଇ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.