ନର୍ଲାରୋଡର ଶାରଦୀୟ ଦୁର୍ଗା ପୂଜା ପାଇଁ ଭବ୍ୟ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡର ବହୁପ୍ରସିଦ୍ଧ ଶାରଦୀୟ ଦୁର୍ଗାପୂଜା ଆଜିଠୁ ଆରମ୍ଭ ହୋଇଯାଇଛି । ଆଜି ରବିବାର ଅମାବାସ୍ୟା ତିଥିରେ ଅପରାହ୍ନ ୫ ଘଣ୍ଟା ସମୟରେ ସମୟରେ ସର୍ଗୀଗୁଡା ସାନ୍ଦୁଲ ନଈରୁ ଜଳନେଇ କଳସ ଯାତ୍ରା ହୋଇଥିଲା । କଳସ ଯାତ୍ରାରେ ନର୍ଲାରୋଡ, ସର୍ଗୀଗୁଡାରୁ ୧୦୦ ରୁ ଉର୍ଦ୍ଧ୍ବ ମହିଳା ଅଂଶ ଗ୍ରହଣ କରିଥିଲେ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପୂଜା ନଅଦିନ ଧରି ପାଳିତ ହେବ ।

ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ପୂଜା ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନ ପ୍ରକାଶ କରିଛନ୍ତି । ଆଜି ରବିବାର ସଂଧ୍ୟା ୫ ଘଣ୍ଟା ସମୟରେ ଲଗ୍ନ ଓ ନୀତି ନିୟମ ଅନୁଯାୟୀ ସାନ୍ଦୁଲ ନଈ ପଠାରେ ପୂଜାପାଠ ହୋଇ କଳସ ପବିତ୍ରୀ କରଣ କରାଯାଇଥିଲା । ଚଳିତ ବର୍ଷ ପୂଜା କର୍ତ୍ତା ଭାବରେ ଜହରଲାଲ ବିଶ୍ୱାଳ ଦମ୍ପତିଙ୍କ ଉପରେ ଦାଇତ୍ୱ ନ୍ୟସ୍ତ ରହିଥିବା ଜଣାପଡିଛି ।

ସେହିଭଳି ଗତ ତିନି ବର୍ଷ ଧରି ନର୍ଲାରୋଡରେ ପୂଜା କରି ଆସୁଥିବା ପୂଜକ ପଣ୍ଡିତ ଦଳ ଚଳିତ ବର୍ଷ ମଧ୍ୟ ନର୍ଲାରୋଡ ଦୁର୍ଗାପୂଜାରେ ପୂଜନ କାର୍ଯ୍ୟ କରୁଛନ୍ତି ।

ସଂକୀର୍ତ୍ତନ, ଘଣ୍ଟ ବାଦ୍ୟ ସହ ଏକ ବଡ ପଟୁଆରରେ ନର୍ଲାରୋଡ ଦୁର୍ଗା ମଣ୍ଡପ ଯାଏଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଣ୍ଡପରେ କଳସ ସ୍ଥାପନ ପରେ ମା ଦୁର୍ଗାଙ୍କର ଅଧିବାସ ଓ ବେଲବରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।

କଳସ ଯାତ୍ରା କାର୍ଯ୍ୟକ୍ରମରେ ପୂଜା ପରିଚାଳନା କମିଟିର ସଭାପତି ହମେଶ କୁମାର ଜୈନ ଓ ସାଧାରଣ ସମ୍ପାଦକ ବିମଲ କୁମାର କେଡିଆ, କୋଷାଧ୍ୟକ୍ଷ ବାବୁଲା ରାଉତ, ଅମର ରାଉତ, ବିନାୟକ ମହନ୍ତ, ରାଜୀନ ସାହୁ, ରାଜା ପରିଡା, ପିତାମ ପ୍ରମୁଖ କମିଟିର ବରିଷ୍ଠ ସଦସ୍ୟ ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଚଳିତ ବର୍ଷ କୋଭିଡ କଟକଣାର ଭୟ ନଥିବାରୁ ଧୁମଧାମର ସହ ନବରାତ୍ରୀ ଦୁର୍ଗାପୂଜା ପାଳନ କରାଯିବ ବୋଲି ସଭାପତି ହମେଶ କୁମାର ଜୈନ ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.