ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ନେଗିଗୁଡା ନିକଟରେ ଥିବା ମେଗା ଲିଫ୍ଟ କେନାଲର ଶେଷ ମୁଣ୍ଡ ଭଣା ଡଙ୍ଗରି ନିକଟରେ ଏକ ଅଜଣା ମହିଳାଙ୍କ ମୃତ ଦେହ ଭାସି ଆସି କେନାଲ ଗେଟରେ ଆସି ଲାଗି ରହିଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିନାହିଁ । ଆଜି ସନ୍ଧ୍ୟା ପୂର୍ବରୁ ସ୍ଥାନୀୟ କିଛି ଗ୍ରାମବାସୀ ଏହି ଶବ କେନାଲରେ ଭାସୁଥିବା ଦେଖି କୋକସରା ପୁଲିସ ଓ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ । ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ତ୍ୱରିତ ପଦକ୍ଷେପ ନେଇ ଘଟଣାସ୍ଥଳରେ ପହଞ୍ଚି କେନାଲରୁ ମହିଳାଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ଆଣିଥିବା ଜଣାପଡିଛି । ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି । କୋକସରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି ।