କୃଷକ ଉତ୍ପାଦକ କମ୍ପାନୀ ସଚେତନତା କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମହାଶକ୍ତି ଫାଉଣ୍ଡେସନ ତରଫରୁ କେନ୍ଦ୍ର ସରକାର ଓ ନାବାର୍ଡ ସହାୟତାରେ ମ. ରାମପୁର ଓ ନର୍ଲା ବ୍ଲକର ୪୭ ଜଣ ସଫଳ ଚାଷୀଙ୍କୁ ନେଇ ମହାଶକ୍ତି ଫାଉଣ୍ଡେସନ ସଭା ଗୃହରେ କୃଷକ ଉତ୍ପାଦକ କମ୍ପାନୀ ଗଠନ ସମ୍ପର୍କିତ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ଉପସ୍ଥିତ ଚାଷୀ ମାନଙ୍କୁ ସ୍ଵାଗତ ଜଣାଇ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରିଥିଲେ । ଶ୍ରୀକାନ୍ତ ହୋତା କୃଷକ ଉତ୍ପାଦକ କମ୍ପାନୀ ଗଠନର ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ । ମହାଶକ୍ତି ଫାଉଣ୍ଡେସନର କାର୍ଯ୍ୟକ୍ରମ ପରିଚାଳକ ହୃଷୀକେଶ ସାହୁ ଏଫପିଓର କାର୍ଯ୍ୟକାରିତା ଓ ଗଠନ ପ୍ରଣାଳୀ ଉପରେ ପୁଙ୍ଖାନୁ ପୁଙ୍ଖ ଭାବେ ବିଭିନ୍ନ ଉଦାହରଣ ଓ ଭିଡ଼ିଓ ମାଧ୍ୟମ ରେ ଅବଗତ କରିଥିଲେ । ଉପସ୍ଥିତ ପ୍ରତ୍ୟେକ ଚାଷୀ ଆଲୋଚନା ଚକ୍ରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ମ. ରାମପୁର ଓ ନର୍ଲା ବ୍ଲକ ପାଇଁ ୨ ଗୋଟି କୃଷକ ଉତ୍ପାଦକ କମ୍ପାନୀ ଗଠନ କରାଯିବା ପାଇଁ ସ୍ଥିରୀକୃତ ହେଇଥିଲା । ମ. ରାମପୁର ବ୍ଲକର ଉଦ୍ୟାନ କୃଷି ବିଭାଗର ଶିଶିର ସାହୁ ଓ ଅବସର ପ୍ରାପ୍ତ କୃଷି ଅଧିକାରୀ ବୃନ୍ଦାବନ ନାଗ କୃଷି ଓ କୃଷକର ବିକାଶ ପାଇଁ ସରକାରୀ ଯୋଜନା ଓ ଏଫପିଓର ଆବଶ୍ୟକତା ବିଷୟରେ ସୂଚନା ଦେଇଥିଲେ । ଶେଷରେ ପ୍ରକାଶ ସାହୁ ଉପସ୍ଥିତ ଚାଷୀ ଏବଂ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଅନୁଷ୍ଠାନର ଦେବେନ୍ଦ୍ର ମିଶ୍ର, ଜ୍ୟୋତିଷ ନାୟକ, ନମିତା ପୁଝାରୀ ଓ ବଂଶୀଧର ରଣା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.