ନର୍ଲା ବ୍ଲକର ୪ଟି ପଞ୍ଚାୟତର ଧାନ ଫସଲରେ ମାଟିଆ ଗୁଣ୍ଡି ପୋକର ପ୍ରାଦୁର୍ଭାବ, ଶିଘ୍ର ପ୍ରତିକାର ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚଳିତ ବର୍ଷ ଉତ୍ତମ ବର୍ଷା ହୋଇଥିବା ଯୋଗୁଁ ଧାନ ଚାଷ ଖୁବ ଭଲ ହୋଇଛି । ଧାନ ବିକ୍ରିକୁ ନେଇ ଚାଷୀ ଅନେକ ଆଶାବାନ୍ଧି ବସିଛି । ଏବେ ଧାନ ଅମଳ ସମୟ ଉପନୀତ ହେବା ବେଳକୁ ଦାଉ ସାଧୁଛି ମାଟିଆ ଗୁଣ୍ଡି ପୋକ (ବିପିଏଚ) । ବିଶେଷ କରି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ସରିଆଁ, ରାକ୍ସି, କର୍ମେ ଗାଁ ଓ ଭୀମକେଲା ଗ୍ରାମ ପଞ୍ଚାୟତରେ ବ୍ୟାପକ ପରିମାଣରେ ବିପିଏଚ ଲାଗିଥିବା ଜଣା ପଡ଼ିଛି । ଗତ ୨୦୧୮ ଏହି ବିପିଏଚ ରୋଗ ଯୋଗୁଁ ନର୍ଲା ଅଞ୍ଚଳର ଚାଷୀ ସର୍ବସ୍ୱାନ୍ତ ହୋଇ ଯାଇଥିଲେ । ଏବର୍ଷ ମଧ୍ୟ ବ୍ଲକର ଅନେକ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଅଳ୍ପ ଅଳ୍ପ ଏହି ରୋଗ ଲାଗିବା ଆରମ୍ଭ ହୋଇଥିବା ବେଳେ ଉପରୋକ୍ତ ଚାରି ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏହି ରୋଗ, ପୋକ ବ୍ୟାପକ ପରିମାଣରେ ଲାଗି ପାଚିଲା ଧାନ ଶୁଖି ପାଳ ଭଳି ହୋଇ ଗଲାଣି । ସୁନା ପରି ଧାନ କେଣ୍ଡା ମାଟିଆ ଗୁଣ୍ଡି ପୋକ ଯୋଗୁଁ ମଳିନ ପଡ଼ିଯାଇଛି, ଯାହାକୁ ଦେଖି ଚାଷୀ ଆଖିରେ ନିଦ ନାହିଁ । ଯେତେ ପ୍ରକାରର କିଟନାଶକ ପ୍ରୟୋଗ କଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି ଚାଷୀ କୂଳ । କେତେକ ଅଳ୍ପ ସମୟ ଅବଧିର ଧାନ ପାଚି ସାରିଥିବା ବେଳେ ଦୀର୍ଘ ସମୟ ଅବଧିର ଧାନ ଏବେ କେଣ୍ଡା ଧରୁଛି । ଏଣୁ ସମୟ ପୂର୍ବରୁ ଯଦି ବିପିଏଚ ରୋଗ ଆୟତ୍ତକୁ ନଆସେ ତାହେଲେ ଚଳିତ ବର୍ଷ ମଧ୍ୟ ଚାଷୀ ସାର୍ବସ୍ୱନ୍ତ ହେବା ଶତ ପ୍ରତିଶତ ନିଶ୍ଚିତ । ଏଣୁ ଏଥିପ୍ରତି କୃଷି ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.