ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ଆନ୍ଧ୍ରପ୍ରଦେଶ ଗଲେ ପରିବାର ଲୋକେ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଦାଦନ ଶ୍ରମିକଙ୍କ ଦୁଃଖ ଥମିବାର ନାଁ ନେଉନି । ଗତ ୬ ମାସ ମଧ୍ୟରେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ୬ ଜଣ ଦାଦନ ଶ୍ରମିକ ରାଜ୍ୟ ବାହାରେ କାମ କରିବା ପାଇ ଯାଇ ଶବ ହୋଇ ଗାଁ କୁ ଫେରିଛନ୍ତି । ତେବେ ବୁଧବାର ପୁଣି ଜଣେ ଦାଦନ ଶ୍ରମିକ ନିଜାମବାଦରେ ଟ୍ରାକ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ମିଳିଛି । ଖବର ମୁତାବକ, ଗତ ରବିବାର ଦିନ କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ବଗଡ଼ିଆପଡ଼ାର ଚନ୍ଦ୍ରମଣି ରାଉତ(୨୭) ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶର ନିଜାମବାଦ ଯାଇଥିଲେ । ସେଠାରେ ଟ୍ରାକ୍ଟର ଓଲଟିବା ଫଳରେ ଚନ୍ଦ୍ରମଣିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ବୁଧବାର ଖବର ମିଳିଛି । ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକେ ଶବ ଆଣିବାକୁ ନିଜାମବାଦ ଯାଇଥିବା ବେଳେ ଘରର ରୋଜଗାରକ୍ଷମ ବଡ଼ପୁଅକୁ ହରାଇ ପୁରା ପରିବାର ଭାଙ୍ଗି ପଡିଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ଗାଁ ରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟେ ମୃତ ଚନ୍ଦ୍ରମଣୀଙ୍କ ସାଥିରେ ଥିବା ଅନ୍ୟ ଜଣେ ମୁଷାପାଲି ଗ୍ରାମର ଯୁବକ ଉପେନ୍ଦ୍ର ନାଏକଙ୍କ ଅଣ୍ଟାରେ ଗଭୀର ଆଘାତ ଲାଗିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.