ଶୋଚନୀୟ ଅବସ୍ଥାରେ ଜିଲ୍ଲା କୃଷି କାର୍ଯ୍ୟାଳୟ କୋଠା: ପୁନଃରୁଦ୍ଧାର ଦାବି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଜିଲ୍ଲା କୃଷି କାର୍ଯ୍ୟାଳୟ (ଡିଏଓ) ଅଫିସ କୋଠାର ଅବସ୍ଥା ଶୋଚନୀୟ ହୋଇପଡିଛି । କୃଷି କାର୍ଯ୍ୟାଳୟର କୋଠାଟି ଦୀର୍ଘ ତିରିଶି ବର୍ଷ ତଳେ ନିର୍ମିତ ହୋଇଥିଲା ଯାହାର ପରିସ୍ଥିତି ଏବେ ଦୟନୀୟ ହୋଇପଡିଛି । ଅବଶ୍ୟ ଗତ ଚାରି ବର୍ଷ ତଳେ ଏହି ଅଫିସ ପାର୍ଶ୍ଵରେ କୃଷି ସୂଚନା କେନ୍ଦ୍ର (ଏଫ୍ଆଇସି ଭବନ) ନିର୍ମିତ ହୋଇଛି ।  ହେଲେ ଏବେ ମଧ୍ୟ ଅଫିସ୍ ର ସଂପୂର୍ଣ୍ଣ କାର୍ଯ୍ୟ ଏହି ପରିତ୍ୟକ୍ତ ଭବନ ମଧ୍ୟରେ ହିଁ ଚାଲୁଛି । କେତେବେଳେ ଯେ କୃଷି କାର୍ଯ୍ୟାଳୟ କୋଠା ଟି ଭୁଷୁଡି ପଡିବ ତାହା କହିହେବ ନାହିଁ । କୃଷି ଅଫିସ୍ ଭବନ ଟିର କାନ୍ଥ ଗୁଡିକର  ସ୍ଥାନେ ସ୍ଥାନେ ବଡ ବଡ ଫାଟ ସୃଷ୍ଟି ହୋଇପଡିଲାଣି । ଛାତର ଅବସ୍ଥା ମଧ୍ୟ ସାଂଘାତିକ ହୋଇପଡିଲାଣି । ଆଉ ପାଚେରୀ କାନ୍ଥ ସଂପୂର୍ଣ୍ଣ ବିଲୀନ ହୋଇସାରିଛି ।  ନାହିଁ ନାହିଁରେ ଚାଲିଛି ନର୍ଲା ଜିଲ୍ଲା କୃଷି ଅଫିସ୍ । କୃଷି ଓ କୃଷକର ଜୀବନ ଜୀବିକାରେ ସହାୟକ ହେଉଥିବା ଏହି ନର୍ଲା ଜିଲ୍ଲା କୃଷି ଅଫିସ୍ ନିଜେ ଅସହାୟ ଅବସ୍ଥାରେ ପହଞ୍ଚି ଗଲାଣି । ରୋଗ ପୋକ ଲାଗିଲେ ଅନ୍ୟକୁ କୀଟନାଶକ ଔଷଧ ବଣ୍ଟନ କରୁଥିବା ଏହି କାର୍ଯ୍ୟାଳୟଟିର ଅବସ୍ଥା ଏତେ ଖରାପ ଯେ କୋଠାଟିର ବିପର୍ଯ୍ୟୟ କାରଣରୁ ନଥିପତ୍ର ନଷ୍ଟ ହେବାରେ ଲାଗିଛି । ବର୍ଷାଦିନ ସାରା ଛାତ ତଳେ ପାଣି ଗଳି ଔଷଧ, ବିହନ, କୃଷି ଯନ୍ତ୍ରପାତି ସବୁ ନଷ୍ଟ ହେବାରେ ଲାଗିଛି । ଏ ସମ୍ପର୍କରେ ସଂପୃକ୍ତ କୃଷି କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ରାଜ୍ୟ ସରକାରଙ୍କୁ ପତ୍ରମାଧ୍ୟମରେ ଅବଗତ କରାଯାଉଥିଲେ ମଧ୍ୟ କୌଣସୀ ସୁଫଳ ମିଳୁନଥିବା ଜଣାପଡିଛି ।  
ରେକର୍ଡ ଅନୁଯାୟୀ ଏହି କାର୍ଯ୍ୟାଳୟ କୋଠାଟି ଅକ୍ଟୋବର ମାସ ୧୯୯୩ ରେ ନିର୍ମିତ ହୋଇଥିଲା । ସେହି ସମୟରେ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିଲା ।  କାର୍ଯ୍ୟାଳୟଟି ଏବେ ଏତେ ବିପଦ ସଂକୁଳ ଲାଗୁଛି ଯେ ଏହା ଭିତରେ ପଶିବାକୁ ଚାଷୀ ଏବଂ ସାଧାରଣ ଜନତା ଭୀତତ୍ରସ୍ତ ହେଉଛନ୍ତି । ଆଉ କର୍ମଚାରୀ ଜୀବନକୁ ପାଣି ଛଡେଇ କୋଠା ଭିତରେ ନିତ୍ୟ ପ୍ରତ୍ୟ କାମ କରି ବସୁଛନ୍ତି । ଭଙ୍ଗା ଝରକା ଓ କବାଟ ଦେଇ ଦିନ ଦ୍ୱି ପ୍ରହରେ ଏବଂ ରାତିରେ ମଧ୍ୟ ମାଙ୍କଡ ମାନେ ଅଫିସ୍ ଭିତରେ ପଶି ଯାଇ ଫାଇଲ ପତ୍ର ଚିରି ପକାଉଥିବା କର୍ମଚାରୀ ମାନେ ପ୍ରକାଶ କରିଛନ୍ତି । କେବଳ କାର୍ଯ୍ୟାଳୟ ଭବନ ନୁହଁ ଜିଲ୍ଲା କୃଷି ଅଧିକାରୀଙ୍କ ବ୍ୟବହାର ପାଇଁ ରହିଥିବା ଚାରିଚକିଆ ଗାଡି (ଜିପ୍) ଟିର ଅବସ୍ଥା ମଧ୍ୟ ଦୀର୍ଘ ୧୦ ବର୍ଷ ହୋଇଗଲାଣି ଖତଖାଇ ସାରିଛି । ଏଥିପ୍ରତି ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟିଦେଇ ନର୍ଲା ଜିଲ୍ଲା କୃଷି କାର୍ଯ୍ୟାଳୟଟିର ପୁନରୁଦ୍ଧାର ପାଇଁ ଜନସାଧାରଣ ଦାବୀ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.