ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟ ସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଚଳିତ ବର୍ଷର ‘ଦେବଗିରି ଶିକ୍ଷା ସମ୍ମାନ’ ପାଇବେ ଜିଲ୍ଲା ଓ ରାଜ୍ୟସ୍ତରରେ ସାଧନକର୍ମୀ ତଥା ଉଛଲା କ୍ଲଷ୍ଟରର ସିଆରସିସି ଅଜିତ କୁମାର ପଧାନ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଫରଙ୍ଗ ଗ୍ରାମର ଫକୀର ମୋହନ ପଧାନ ଓ କନକ ପଧାନଙ୍କ ସୁପୁତ୍ର ଅଜିତ ୨୦୧୧ରୁ ଶିକ୍ଷକତା ଜୀବନ ଆରମ୍ଭ କରି ନିଜର ଦକ୍ଷତା ବଳରେ ସାରା ଜିଲ୍ଲାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଜିଲ୍ଲା ଓ ବ୍ଲକ ସ୍ତରରେ ୧୫୦ରୁ ଉର୍ଦ୍ଧ୍ବ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ପରିଚାଳନା କରିଛନ୍ତି ଅଜିତ। ଏହାସହ ସେ ୫୦ରୁ ଉର୍ଦ୍ଧ୍ବ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦାନ କରିଛନ୍ତି। ଦୀକ୍ଷା ପୋର୍ଟାଲରେ ଇ-କଣ୍ଟେଣ୍ଟ ଦେଇ ଓପେପା ଷ୍ଟେଟ ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ଠାରୁ ସେ ସମ୍ମାନିତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲା ଏନ୍ଏଏସ୍ ଏବଂ ୟୁଟ୍ୟୁବରେ କୋର୍ଡିନେସନ, ସମଗ୍ର ଓଡ଼ିଶାରେ ଏନ୍ଏଏସ୍ ଇଣ୍ଟରଭେସନ୍ ପାଇଁ ଜଣେମାତ୍ର ସିଆରସିସି ଭାବେ ଦିଲ୍ଲୀରେ ଯୋଗଦାନ କରି ସଫଳତାର ସହ କାର୍ଯ୍ୟକ୍ରମରେ ରାଜ୍ୟ ଏବଂ ଜିଲ୍ଲାର ସ୍ଥିତି ଉପସ୍ଥାପନ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ବିଭିନ୍ନ ଶିକ୍ଷକ ଅନୁଷ୍ଠାନ ଏବଂ ଓଡିଆ ବାର୍ତ୍ତା ଦ୍ବାରା ଶିକ୍ଷା ସମ୍ମାନରେ ସମ୍ମାନିତ ହୋଇଛନ୍ତି ଆଜିତ ପଧାନ।
ଏଥିସହ ୨୦୨୨ ବର୍ଷର ଦେବଗିରି ସମାଜସେବା ସମ୍ମାନ ପାଇବେ ବିଶିଷ୍ଟ ସମାଜସେବୀ କୁମୁଦ ଚନ୍ଦ୍ର ନାଏକ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ଅମ୍ବୁବତୀ ନାଏକ ଓ ଈଶ୍ବରଚନ୍ଦ୍ର ନାଏକଙ୍କ ସୁପୁତ୍ର କୁମୁଦ ୧୯୮୮ ମସିହାରୁ ଡିବଡିବି ସମ୍ବାଦପତ୍ରରେ ସାମ୍ବାଦିକତା ଆରମ୍ଭ କରି ପରବର୍ତ୍ତୀ ସମୟରେ ଅର୍ଜି, ପ୍ରଗତିବାଦୀ ଓ ସମ୍ବାଦର ପ୍ରତିନିଧି ଭାବେ ସାଧାରଣ ଜନତାର ସ୍ବରକୁ ପ୍ରଶାସନ ଓ ସରକାରଙ୍କ ପାଖରେ ପହଞ୍ଚେଇବାରେ କାର୍ଯ୍ୟ କରିଛନ୍ତି। ନର୍ଲା ବ୍ଲକ କୃଷକ ସଂଗଠନର ସମ୍ପାଦକ, ଜୟଦୁର୍ଗା ହାଇସ୍କୁଲର ସଭାପତି ଓ ସମ୍ପାଦକ, ଜୟଦୁର୍ଗା ସ୍ପୋର୍ଟିଂ କ୍ଲବର ଉପସଭାପତି, କଳାହାଣ୍ଡି ଜିଲ୍ଲା କୁଲତା ସମାଜର ସହସମ୍ପାଦକ, ନର୍ଲା +୨ କଲେଜ କମିଟି, ରେଳ ଓ୍ବାଗନ କାରଖାନା କମିଟି, ନର୍ଲା ଏନ୍ଏସି ଏକ୍ସନ୍ କମିଟି, ସାହିତ୍ୟ ମନ୍ଦିର ନର୍ଲା, ନୂଆମୁହଁ ସାହିତ୍ୟ ପତ୍ରିକାର ମୁଖ୍ୟ ସଂପାଦକ ପରି ବିଭିନ୍ନ ସଂଗଠନ ସହ ଜଡ଼ିତ ରହି ସମାଜରେ ଶିକ୍ଷା, କ୍ରୀଡ଼ା ଓ ସାହିତ୍ୟର ବିକାଶ କାର୍ଯ୍ୟ କରିଛନ୍ତି ଶ୍ରୀ ନାଏକ। ତାଙ୍କର ନିଃସ୍ଵାର୍ଥପର ସେବା ପାଇଁ ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସ୍ମୃତିରେ ତାଙ୍କ ସୁପୁତ୍ର ସୁନୀଲ କୁମାର ଅଗ୍ରୱାଲଙ୍କ ଦ୍ବାରା ପ୍ରଦତ୍ତ ଏହି ମର୍ଯ୍ୟାଦାଜନକ ସମ୍ମାନରେ ତାଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି।
ସେହିପରି ଭାବେ ଦେବଗିରି କ୍ରୀଡ଼ା ସମ୍ମାନରେ ସମ୍ମାନିତ ହେବେ ସୁନାମଧନ୍ୟ ଫୁଟବଲ ରେଫରୀ ସନ୍ତୋଷାନନ୍ଦ ନାୟକ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ତୁଳାପଡାର ନିର୍ମଳଚନ୍ଦ୍ର ନାୟକ ଓ ଅହଲ୍ୟା ନାୟକଙ୍କ ସୁପୁତ୍ର ସନ୍ତୋଷ ୧୯୯୯ ମହିହାରୁ ପିଇଟି ଶିକ୍ଷକ ଭାବେ ଜୟପାଟଣା ବ୍ଲକର ବଡ଼ପୁଜାରୀଗୁଡ଼ା ହାଇସ୍କୁଲରୁ ନିଜର କର୍ମମୟ ଜୀବନ ଆରମ୍ଭ କରି ଦୁର୍ଗମ ବାରବନ୍ଧା ହାଇସ୍କୁଲରେ କ୍ରିଡାର ବିକାଶ କରାଇଥିଲେ। ସଂପ୍ରତି ତୁଳାପଡା ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଥିବା ସନ୍ତୋଷାନନ୍ଦ ରାଜ୍ୟ ଫୁଟବଲ ଏସୋସିଏସନ୍, ରଗବି ଫୁଟବଲ ଟୁର୍ଣ୍ଣାମେଣ୍ଟ, ଜୁନିୟର ରେଡ଼କ୍ରସ୍ ସୋସାଇଟି ସ୍କାଉଟ ଶିକ୍ଷକ ତଥା ଏନ୍ଏସିର ଗୁରୁ ଦାୟିତ୍ୱ ତୁଲାଇଛନ୍ତି। ଏହାସହ ଢେଙ୍କାନାଳ, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଆଦି ସ୍ଥାନରେ ରେଫରୀ ଓ ଜିଲ୍ଲା ଶିକ୍ଷା ବିଭାଗର ବିଭିନ୍ନ କ୍ରୀଡ଼ା ପରିଚାଳନା କରିଛନ୍ତି।
ଆସନ୍ତା ଡ଼ିସେମ୍ବର ୨ରୁ ୪ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଠାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୦ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଏହି ତିନି ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।