ଆଜିଠୁ ସଂସଦର ବଜେଟ ଅଧିବେଶନ: ଜାତି ଭିତ୍ତିକ ଜନଗଣନା, ଆଦାନୀ, ବିବିସି ପ୍ରସଙ୍ଗରେ ସରକାରକୁ ଘେରିବେ ବିରୋଧୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସୋମବାର ସରକାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ଏଥିରେ ବିରୋଧୀ ଦଳ ଆଦାନୀ ଗ୍ରୁପ୍, ଜାତି ଭିତ୍ତିକ ଗଣନା ଏବଂ ମହିଳା ସଂରକ୍ଷଣ ବିଲ୍ ପାସ୍ ପ୍ରସଙ୍ଗ ଉଠାଇଥିଲେ। ଏଥି ସହିତ ସଂସଦରେ ନିୟମ ଅନୁଯାୟୀ ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ସରକାର କହିଛନ୍ତି ଏବଂ ଗୃହକୁ ସୁରୁଖୁରୁରେ ଚଳାଇବାରେ ସହଯୋଗ ଲୋଡିଛନ୍ତି। ସଂସଦର ବଜେଟ୍ ଅଧିବେଶନ ସେହି ସମୟରେ ଆରମ୍ଭ ହେଉଛି ଯେତେବେଳେ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା କରାଯାଇଛି ଏବଂ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା କରାଯିବ ବୋଲି ଅପେକ୍ଷା ରହିଛି। ସଂସଦର ବଜେଟ୍ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି। ସୋମବାର ସରକାର ଆହ୍ୱାନ କରିଥିବା ସର୍ବଦଳୀୟ ବୈଠକରୁ ସୂଚନା ମିଳୁଛି ଯେ ଅଧିବେଶନରେ ହୋ ହାଲ୍ଲା ହେବ। ସର୍ବଦଳୀୟ ବୈଠକରେ ମୁଖ୍ୟତଃ ବିରୋଧୀ ଦଳ ପାଞ୍ଚଟି ପ୍ରସଙ୍ଗରେ ଆଲୋଚନା କରିବାକୁ ଦାବି କରିଛନ୍ତି, ସେଥିମଧ୍ୟରୁ ସଂଘୀୟ ବ୍ୟବସ୍ଥା ଏବଂ ଆଦାନୀ ଗ୍ରୁପ୍ ପ୍ରସଙ୍ଗ। ମୋଦୀ ସରକାର ସଂଘୀୟ ବ୍ୟବସ୍ଥା କ୍ଷତି ପହଞ୍ଚାଇଥିବା ଅଭିଯୋଗ କରି ଟିଏମସି ଏବଂ ଟିଆରଏସ ଏକ ଆଲୋଚନା ପାଇଁ ଦାବି କରିଛନ୍ତି, ଯାହାକୁ ଅନ୍ୟ ଦଳ ସମର୍ଥନ କରିଛନ୍ତି। ସର୍ବଦଳୀୟ ବୈଠକରେ ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକ ଉପରେ ଆମେରିକୀୟ ରିପୋର୍ଟ ଆସିବା ପରେ ଷ୍ଟକ୍ ମାର୍କେଟରେ ଉତଥାନ ପତନ ଦେଖାଦେଇଛି। ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ଜୋରଦାର ଦାବି କରିଥିଲେ। ଶିବସେନା ଏବଂ ଆରଜେଡି ମଧ୍ୟ ଏହି ଦାବିକୁ ସମର୍ଥନ କରିଥିଲେ। ସେହିପରି ଜାତି ଭିତ୍ତିକ ଜନଗଣନା, ମହିଳା ସଂରକ୍ଷଣ ବିଲ୍, ଅର୍ଥନୀତି, ମୁଦ୍ରାସ୍ଫୀତି ଏବଂ ବେକାରୀ ଭଳି ପ୍ରସଙ୍ଗ ବୈଠକରେ ଉଠିଥିଲା। ଏହା ବ୍ୟତୀତ ଟିଏମସି ଏବଂ ଅନ୍ୟ ଦଳ ମଧ୍ୟ ଗୁଜୁରାଟ ଦଙ୍ଗା ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀ ସମ୍ପର୍କରେ ସରକାରଙ୍କ ସହ ଆଲୋଚନା କରିବାକୁ ଦାବି କରିଛନ୍ତି।

ପରମ୍ପରା ଅନୁଯାୟୀ ଏହି ଅଧିବେଶନ ମଙ୍ଗଳବାର ରାଷ୍ଟ୍ରପତିଙ୍କ ଉଦବୋଧନରୁ ଆରମ୍ଭ ହେବ। ରାଷ୍ଟ୍ରପତି ସଂସଦର ସେଣ୍ଟ୍ରାଲ ହଲରେ ଦୁଇ ସଦନକୁ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କ ଉଦବୋଧନ ପରେ ମୋଦୀ ସରକାର ୨୦୨୨-୨୩ର ଅର୍ଥନୈତିକ ସର୍ଭେ ମଙ୍ଗଳବାର ଉପସ୍ଥାପନ କରିବେ। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ସାଧାରଣ ବଜେଟ ଉପସ୍ଥାପିତ ହେବ। ଏହା ମୋଦୀଙ୍କ ଦ୍ବିତୀୟ ସରକାରର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ ହେବ। ସରକାର ସମସ୍ତ ବିଷୟ ଉପରେ ଆଲୋଚନା କରିବାକୁ ରାଜି ଥିବା କହିଛନ୍ତି। ବଜେଟ୍ ଅଧିବେଶନର ପ୍ରଥମ ଭାଗ ୩୧ ଜାନୁଆରୀରୁ ୧୩ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ଭାଗ ୧୩ ମାର୍ଚ୍ଚରୁ ୬ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.