ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆନ୍ତର୍ଜାତୀୟ ସ୍ତରରେ ପୁଣି ଏକ ନୂତନ କିର୍ତ୍ତିମାନ ସ୍ଥାପନ କରିଛନ୍ତି ଓଡ଼ିଆ ପୁଅ ତପନ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବୁଢୀପଦର ଗ୍ରାମର ତପନ ଗଉଡ ରାଜସ୍ଥାନର ଜୟପୁରଠାରେ ଅନୁଷ୍ଠିତ ‘ଆଇଏମଏଏସ ଏସିଆନ୍ କରାଟେ ଚମ୍ପିୟନସିପ-୨୦୨୩’ ପ୍ରତିଯୋଗିତରେ ରନର୍ସ ଅପ୍ ହୋଇ ସିଲଭର ମେଡାଲ ହାସଲ କରିଛନ୍ତି। ଭାରତୀୟ ମାର୍ସାଲ ଆର୍ଟସ୍ ସଂସ୍ଥାନ ପକ୍ଷରୁ ଆୟୋଜିତ ଉକ୍ତ ପ୍ରତିଯୋଗିତାରେ ଭାରତ ସମେତ ନେପାଳ, ଶ୍ରୀଲଙ୍କା, ଭୁଟାନ ଆଦି ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଏହି ଲଢେଇରେ ତପନ ଅଳ୍ପକେ ଚମ୍ପିୟାନ ହେବାରୁ ବଞ୍ଚିତ ହୋଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ବୁଢ଼ୀପଦର ଗ୍ରାମର ସଞ୍ଜୁ ଗଉଡ଼ ଓ ସ୍ବର୍ଗତ ଭୁରି ଗଉଡ଼ଙ୍କ ସୁପୁତ୍ର ତପନ ଗଉଡ଼ ୨୦୨୨ରେ ‘ମାର୍ସାଲ ଆର୍ଟସ ଗଟ୍ ଟେଲେଣ୍ଟ ଓ୍ବାର୍ଲ୍ଡ ଚାମ୍ପିୟନ’ ହୋଇଥିବା ବେଳେ ବର୍ତ୍ତମାନ ଆଇଏମଏଏସ ଏସିଆନ୍ କରାଟେ ଚମ୍ପିୟନସିପରେ ଦ୍ବିତୀୟ ହୋଇ ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି। ସେ ଏସବୁର ଶ୍ରେୟ ନିଜ ପିତାମାତା, ଜନ୍ମମାଟି ବୁଢ଼ୀପଦର, କୋଚ୍ ଓ ସେଠ ହରେଶ ଭାଇ ଏମ୍ ଧୋକିଆଙ୍କୁ ଦେଇଛନ୍ତି। ତପନ ବର୍ତ୍ତମାନ ରାଜକୋଟର ଇନୋଭେଟିଭ୍ ଇଣ୍ଟରନେସନାଲ୍ କଲେଜ, ରାଜକୋଟ ଏମଏସବି ସ୍କୁଲ ସମେତ ଅନେକ ଶିକ୍ଷାନୁଷ୍ଠାନର କରାଟେ କୋଚ୍ ଭାବେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ଅଲ୍ ଗୁଜରାଟ ମାର୍ଶାଲ ଆର୍ଟ ଏକାଡେମୀରେ ଶିକ୍ଷା ପ୍ରାପ୍ତ ତପନ ଗଉଡ଼ ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି। ତପନଙ୍କ ଏହି କୃତିତ୍ବରେ ଜନ୍ମମାଟି ବୁଢ଼ୀପଦର ସହ କଳାହାଣ୍ଡି ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ତାଙ୍କର ଏହି ସଫଳତାର ଖବର ପ୍ରଚାରିତ ହେବାପରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ଗଜାନନ ସାଂସ୍କୃତିକ ଅନୁଷ୍ଠାନ ସମେତ ରାଜ୍ୟର ଅନେକ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।