ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ନର୍କ ସଦୃଶ ପିଚ କରିଛି ଭାରତ!

ଓଡ଼ିଆ ବାର୍ତ୍ତା/ ନାଗପୁର: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯିବ । ଭାରତ ଏହ ସିରିଜରେ ବିଜୟ ହାସଲ ସହ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିବା ପାଇଁ ଟିମ ଇଣ୍ଡିଆ ଉଦ୍ୟମ କରିବ । ତେବେ ବୁଧବାର ପିଚର ପ୍ରସ୍ତୁତି ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ପିଚର ପ୍ରଥମ ଫଟୋ ପ୍ରକାଶ ପରେ ଏହା ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ନର୍କ ସାଜିବାକୁ ଯାଉଛି । ଅଷ୍ଟ୍ରେଲିଆ ମିଡିଆ ଏ ନେଇ ପ୍ରଶ୍ନ ଉଠାଇବା ମଧ୍ୟ ଆରମ୍ଭ କରିଛି । ପିଚର ଅଫ ସାଇଡ ଅଂଚଳରେ ଜମାରୁ ଘାସ ରଖାଯାଇ ନାହିଁ । ଏପରିକି ଏହି ସ୍ଥାନରେ ରୋଲିଂ ମଧ୍ୟ କରାଯାଇ ନାହିଁ । ଅପରପକ୍ଷରେ ଡାହଣହାତୀ ବ୍ୟାଟ୍ସମ୍ୟାନଙ୍କ ଅଂଚଳରେ ପାଣି ପକାଯିବା ସହ ଭଲ ଭାବେ ରୋଲିଂ କରାଯାଇଛି । ସମୀକ୍ଷକଙ୍କ ମତରେ ଯେଉଁ ଅଂଚଳ ଶୁଖିଲା ରହିଛି ତାହା ଅଳ୍ପ ସମୟ ଖେଳ ପରେ ଫାଟିଯିବ । ଏହା ସ୍ପିନରଙ୍କ ବଲ ଟର୍ଣ୍ଣ କରାଇବାରେ ବିଶେଷ ଭାବେ ସହାୟ ହେବ । ଅଷ୍ଟ୍ରେଲିଆ ଟିମର ୮ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୬ଜଣ ବାମହାତୀ ।

ଅପରପକ୍ଷରେ ଭାରତୀୟ ଦଳରେ ଜଣେ କିମ୍ବା ୨ଜଣ ବାମହାତୀ ବ୍ୟାଟ୍ସମ୍ୟାନ ଅଛନ୍ତି । ଡାହଣହାତୀ ବ୍ୟାଟ୍ସମ୍ୟାନ ଏହି ପିଚରେ ସହଜରେ ଭଲ ରନ ସଂଗ୍ରହ କରିପାରିବେ ବୋଲି ଆଶା କରାଯାଉଛି । ବାମହାତୀ ସ୍ପିନର ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲଙ୍କୁ ଖେଳିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ । ବିଦର୍ଭ କ୍ରିକେଟ ଆସୋସିଏଶନ ପ୍ରଥମେ ଯେଉଁ ପିଚ ତିଆରି କରିଥିଲା ତାହା ଭାରତୀୟ ଟିମ ମ୍ୟାନେଜମେଂଟକୁ ପସନ୍ଦ ଆସି ନ ଥିଲା । ଏହା ପରେ ଆଉ ଏକ ପିଚ ତିଆରି କରାଯାଇଥିଲା । ଯାହାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଅଷ୍ଟ୍ରେଲିଆର ନାଥନ ଲାୟନ ପିଚରୁ ଭରପୂର ଫାଇଦା ଉଠାଇ ପାରନ୍ତି । ସେହିପରି ଦୀର୍ଘ ଦିନ ପରେ ଘରୋଇ ପରିବେଶରେ ବିରାଟ କୋହଲି ଶତକ ହାସଲ କରିବେ ବୋଲି ଆଶା କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.