ଚୋରି, ଲୁଟ ଓ ରାହାଜାନୀକୁ ନେଇ ଅତିଷ୍ଠ ହେଲେଣି ରାୟଗଡା ସହର ବାସିନ୍ଦା

ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଏସ.ପି.ଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଲାରେ ଦିନକୁ ଦିନ ଚୋରି, ଡକାୟତି, ଲୁଟ ଓ ରାହାଜାନୀ ଭଳି ଅପରାଧ ବଢ଼ିବାରେ ଲାଗିଛି । ପୋଲିସକୁ ଖୁଲମଖୁଲା ଚ୍ୟାଲେଞ୍ଜ ଦେଇ ଚୋର ଓ ଲୁଟେରା ମାନେ ତାଙ୍କର ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି । ଲୋକେ କୌଣସି କାମରେ ବାହାରକୁ ଯାଉଥିବା ବେଳେ ଚୋର ମାନେ ସେହି ଘରକୁ ଟାର୍ଗେଟ କରି ସର୍ବସ୍ୱ ଲୁଟି ନେଉଛନ୍ତି । ଏହା ସହ ପ୍ରାତଃ ଭ୍ରମଣ କରୁଥିବା ମହିଳା ଓ ଏକାକୀ ଥିବା ମହିଳାଙ୍କ ବେକରୁ ସୁନାଚେନ ଟାଣି ଲୁଟେରା ମାନେ ନିମିଷେକ ମଧ୍ୟରେ ଚମ୍ପଟ ମାରୁଛନ୍ତି । ଏହିସବୁ ଘଟଣାକୁ ଦେଖି ସହରରେ ବାସ କରୁଥିବା ଜନସାଧାରଣ ନିଜକୁ ସୁରକ୍ଷିତ ମନେ କରୁନାହାଁନ୍ତି । ଏହି ଅପରାଧିକ କାର୍ଯ୍ୟକଳାପକୁ ରୋକ ଲଗାଇବା ପାଇଁ ରାୟଗଡ ଜିଲ୍ଲା ବିକାଶ ମଞ୍ଚ ୭ଦଫା ସମ୍ବଳିତ ଏକ ଦାବିପତ୍ର ରାୟଗଡ ଆରକ୍ଷୀ ଅଧିକ୍ଷକ ଉଦ୍ଦେଶ୍ୟରେ ଡ଼ିଏସପି ସୁଦାମ ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି । ରାୟଗଡା ସହରରେ ୨୪ ଘଣ୍ଟିଆ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କରିବା, ରାୟଗଡା ସହରରେ ଏବଂ ସହରକୁ ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସି କ୍ୟାମେରା ସଂଯୋଗ କରିବା, ରାୟଗଡା ସହରରେ ବାହାରୁ ବହୁ ବୁଲା ବେପାରୀ ଆସୁଛନ୍ତି ସେମାନଙ୍କ ଆଧାର କାର୍ଡ ଓ ଫୋନ ନମ୍ବର ରଖିବା ସହ ଯାଞ୍ଚ କରିବା, ରାୟଗଡା ସହରରେ ଭଡାରେ ରହୁଥିବା ଭଡାଟିଆ ମାନଙ୍କ ଠାରୁ ସମସ୍ତ କାଗଜପତ୍ର ଘର ମାଲିକ ନିକଟ ଥାନାରେ ନେଇ ଦାଖଲ କରିବା ଇତ୍ୟାଦି ଦାବିଗୁଡିକ ଦାବିପତ୍ରରେ ଉଲ୍ଲେଖ ରହିଛି । ରାୟଗଡ ଜିଲ୍ଲା ବିକାଶ ମଞ୍ଚ ଆଗାମୀ ଦିନରେ ରାୟଗଡ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ସରକାର ଓ ଜିଲ୍ଲା ପ୍ରଶାସନ ନିକଟରେ ସ୍ୱର ଉତ୍ତୋଳନ କରିବ ବୋଲି ସଭାପତି ଦୟାନନ୍ଦ ଖାଡାଙ୍ଗା ପ୍ରକାଶ କରିଛନ୍ତି । ସଭାପତି ଦୟାନନ୍ଦ ଖାଡାଙ୍ଗାଙ୍କ ନେତୃତ୍ୱରେ ସମ୍ପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକ, ଉପଦେଷ୍ଟା ନନ୍ଦ କିଶୋର ଚୌଧୁରୀ, ଉପଦେଷ୍ଟା ସାରଥି ପଟ୍ଟନାୟକ, କୋଷାଧ୍ୟକ୍ଷ ସୁରେଶ ସାହୁ, ସଭ୍ୟ ମନୋଜ କୁମାର ସାହୁ ଓ ସରୋଜ କୁମାର ସାହୁ ପ୍ରମୂଖ ଦାବିପତ୍ର ପ୍ରଦାନ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.