ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ କାଟତି କରି ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ପାଞ୍ଚ କିଲୋଗ୍ରାମ ଚାଉଳ କମ୍ ଦେବା ଘଟଣାକୁ ରାଜନୀତିକ ଅସ୍ତ୍ର କରିଛି ରାଜ୍ୟର ଶାସକ ବିଜୁ ଜନତା ଦଳ। ବିଜେଡି ପକ୍ଷରୁ ସାରା ରାଜ୍ୟରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେଡି ପକ୍ଷରୁ ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ସହିତ କେନ୍ଦ୍ର ସରକାର ବିରୁଦ୍ଧରେ ପ୍ରତିବାଦ କରାଯାଇଛି। ଲାଞ୍ଜିଗଡ଼ ବ୍ଲକ ଯୁବ ବିଜେଡ଼ି ସଭାପତି ଡିଲେଶ କୁମାର ନାଗଙ୍କ ନେତୃତ୍ବରେ ବ୍ଲକର ଚମ୍ପାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଅନୁଷ୍ଠିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଚମ୍ପାଦେଇପୁର ପଞ୍ଚାୟତ ସଭାପତି ବିଶିକେଶନ ଆର୍ଯ୍ୟଙ୍କ ନେତୃତ୍ୱରେ ଦଳୀୟ କର୍ମୀ ସାମିଲ ହୋଇଥିଲେ। ସେହିପରି ଲାଞ୍ଜିଗଡ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଯୁବନେତା ହିମାଦ୍ରୀ ପେସନିଆ, ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ବବଲୁ ଦଳବେହେରାଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ବିଜେପୁର ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଅନୁଷ୍ଠିତ ବିକ୍ଷୋଭ ଓ ପ୍ରତିବାଦ ସଭାରେ ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ ପ୍ରମୁଖ ନେତୃତ୍ୱ ନେଇଥିବାବେଳେ ଲାଞ୍ଜିଗଡ ରୋଡ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ବିଜେଡି ଜୋନ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଟଙ୍କଧର ମାଝୀ, ସୈାରଭ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।