ବେସରକାରୀ କଲେଜ ଶିକ୍ଷକ ସଂଘ ବରଗଡ଼ ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ବରଗଡ଼: ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ ବରଗଡ଼ ଜିଲ୍ଲା ଶାଖାର ବାର୍ଷିକ ସମ୍ମିଳନୀ ମେଲଛାମୁଣ୍ଡା କନିଷ୍ଠ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରାଧ୍ୟାପକ ସାଧୁଚରଣ ଗଡତିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହ ପ୍ରାରମ୍ଭରେ ମଞ୍ଚାସୀନ ଅତିଥିବୃନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବାଗଦେବୀଙ୍କ ଫୋଟୋଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଏହି ସମ୍ମିଳନୀରେ ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ପ୍ରାପ୍ତ ଓ ଅଣ-ଅନୁଦାନପ୍ରାପ୍ତ ସମସ୍ତ ବର୍ଗର ବେସରକାରୀ କଲେଜ ଶିକ୍ଷକ ଓ କର୍ମଚାରୀ ମାନଙ୍କ ବିଭିନ୍ନ ପ୍ରକାରର ସମସ୍ୟା ଓ ଏହାର ସମାଧାନ ପାଇଁ ବିଚାର ବିମର୍ଶ କରାଯାଇଥିଲା। ରାଜ୍ୟ ସଂଘର ଯୁଗ୍ମ ସମ୍ପାଦକ ପ୍ରାଧ୍ୟାପକ ଅଶ୍ଵିନୀ ସୂପକାର ଓ ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ପ୍ରଣୟାନନ୍ଦ ତ୍ରିପାଠୀ ମଧ୍ୟ ଏହି ସମ୍ମିଳନୀରେ ଉଦବୋଧନ ଦେଇଥିଲେ। ଦିବଂଗତ ଅଧ୍ୟାପକ ନୀଳାଚଳ ବାରିକ ଓ ଅଧ୍ୟାପକ ଡ଼. ମିତ୍ରଭାନୁ ସାହୁ ତଥା ରାଜ୍ୟର ମାନ୍ୟବର ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ନୀରବ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ପ୍ରାଧ୍ୟାପକ ପ୍ରଫୁଲ୍ଲ ମିଶ୍ର, କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ ତଥା ମେଲାଛାମୁଣ୍ଡା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ସଭାପତି ତଥା ରାଜ୍ୟ ନେତୃବୃନ୍ଦଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଦ୍ଵିତୀୟ ପର୍ଯ୍ୟାୟରେ ସଂଘର କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ଏଥିରେ ସଭାପତି ଭାବେ ପ୍ରାଧ୍ୟାପକ ବିଦ୍ୟାଧର ଦାଶ, କାର୍ଯ୍ୟକାରୀ ସଭାପତି ଭାବରେ ପ୍ରାଧ୍ୟାପକ ପ୍ରଦୀପ କୁମାର ପ୍ରଧାନ, ଉପସଭାପତି ପ୍ରାଧ୍ୟାପକ ବିନୋଦ ବିହାରୀ ମିଶ୍ର ଓ ସରୋଜ କୁମାର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଭାବେ ପ୍ରାଧ୍ୟାପକ ସୁଦୀପ୍ତ କୁମାର ଦାଶ, ସଂଗଠନ ସମ୍ପାଦକ ପ୍ରାଧ୍ୟାପକ ଧ୍ରୁବ ଚରଣ ସା, ଯୁଗ୍ମ ସମ୍ପାଦକ ପ୍ରାଧ୍ୟାପିକା  ଜୟଶ୍ରୀ ସାହୁ ଓ ପ୍ରମୋଦ ସାହୁ, ସହସଂପାଦକ ଅଧ୍ୟାପକ ଶାନ୍ତନୁ କୁମାର ସାହୁ ଓ ପ୍ରାଧ୍ୟାପିକା ପଦ୍ମିନୀ ଦାଶ, କୋଷାଧ୍ୟକ୍ଷ ଭାବରେ ଅଧ୍ୟାପକ ନାରାୟଣ ମିଶ୍ର ମନୋନୀତ ହୋଇଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ସୁଶାନ୍ତ କୁମାର ନାୟକ। ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ଜିଲ୍ଲାର ପ୍ରାୟ ସମସ୍ତ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.