ହାଇଟେକ୍ କୋଟ୍‌, ପିନ୍ଧିଲେ ହୋଇଯିବେ ଅଦୃଶ୍ୟ

ଚୀନ୍‌ର କିଛି ଛାତ୍ର ଏଭଳି ଏକ କୋଟ୍ ତିଆରି କରିଛନ୍ତି, ଯାହାକୁ ପିନ୍ଧିଲେ ଆପଣ ଅଦୃଶ୍ୟ ହୋଇଯିବେ । ଏଭଳି କୋଟକୁ ନେଇ ସବୁଠି ଚର୍ଚ୍ଚା । ଚୀନ୍‌ରେ ନାଗରିକମାନଙ୍କ ସୁରକ୍ଷା ପାଇଁ ସେଠାକାର ସରକାରଙ୍କ ପକ୍ଷରୁ କ୍ୟାମେରା ଜରିଆରେ ୨୪ ଘଣ୍ଟିଆ ନଜର ରଖାଯାଇଥାଏ । ଏହା ଲୋକମାନଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ବିଷୟରେ ସୂଚନା ଦେଇଥାଏ । ସେମାନେ କେଉଁଠାରୁ ଯାଉଛନ୍ତି, କ’ଣ କରୁଛନ୍ତି ଏସବୁ ବାବଦରେ ସରକାରଙ୍କ ପାଖରେ ଟିକିନିଖି ଖବର ରହିଥାଏ । ତେଣୁ କ୍ୟାମେରାର ମନିଟରିଂ ଏବଂ ସିସିଟିଭିରୁ ଦୂରେଇ ରହିବା ପାଇଁ ଏହି ଛାତ୍ରମାନେ ଏଭଳି ଏକ ଅଭିନବ କୋଟ୍ ତିଆରି କରିଛନ୍ତି । ଏହାର ନାଁ ରଖିଛନ୍ତିି ‘ଇନଭିଜ୍ ଡିଫେନ୍ସ’ । ଏହା ଏକ କୃତ୍ରିମ ବୁଦ୍ଧିମତା ଭିତ୍ତିକ କୋଟ । ଏହି କୋଟ ପିନ୍ଧିବା ପରେ ଜଣେ ଦୃଶ୍ୟମାନ ହେବେ ନାହିଁ । ଏମିତି କି ସୁରକ୍ଷା କ୍ୟାମେରା ଅଦୃଶ୍ୟ ବ୍ୟକ୍ତିଙ୍କୁ ଠାବ କରି ପାରିବ ନାହିଁ । ରାତିରେ ଏହି କୋଟ ଏକ ଏଆଇ ମନିଟର ଉତ୍ତାପ ସଙ୍କେତ ସୃଷ୍ଟି କରିଥାଏ, ଯେଉଁଥିପାଇଁ ସୁରକ୍ଷା କ୍ୟାମେରା ମଧ୍ୟ ଏହାକୁ କଏଦ କରି ପାରି ନ ଥାଏ । ଏହାକୁ ଦୃଷ୍ଟିରେ ରଖି ଚୀନ୍ ସରକାର ଏହି କୋଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କୋଟ ଦେଶର ଶାନ୍ତିଶୃଙ୍ଖଳାକୁ ଭଙ୍ଗ କରିବା ସହ ସାମଗ୍ରୀକ ସୁରକ୍ଷା ପ୍ରତି ବିପଦ ସାଜିବ ବୋଲି ସରକାରଙ୍କ ଯୁକ୍ତି । ତେଣୁ ଏହାକୁ ନିଷିଦ୍ଧ କରାଯାଇଛି । ସରକାରୀ ଭାବେ କୁହାଯାଇଛି ଯେ, ଏହି କୋଟ ସାହାଯ୍ୟରେ ଯେକେହି ସନ୍ଦେହଜନକ ସାମଗ୍ରୀ ଗୋଟେ ସ୍ଥାନରୁ ଅନ୍ୟତ୍ର ନେଇପାରିବେ ଏବଂ ସେମାନଙ୍କୁ ଧରିବା କଷ୍ଟକର ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.