ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ମଙ୍ଗଲବାର ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରୀପାଠିଙ୍କ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଆଜି କଳାହାଣ୍ଡି, ବଲାଙ୍ଗୀରର ସୀମା ବ୍ଲକ କର୍ଲାମୁଣ୍ଡାରୁ ପରିଦର୍ଶନ ଆରମ୍ଭ କରିଥିଲେ ଅଧ୍ୟକ୍ଷ । ସାଙ୍ଗରେ ବହୁ ଅନୁଭବି ନର୍ଲା ବିଧାୟକ ଭୁପିନ୍ଦର ସିଂ, କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଶା ରେଡ୍ଡି, ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବିଧାୟକଙ୍କ ସୁପୁତ୍ର ହରଜିନ୍ଦର ସିଂ, ସମ୍ପୃକ୍ତ ବ୍ଲକ ର ବିଡିଓ ମାନେ, ଜିଲ୍ଲା ଓ ବ୍ଲକ ସ୍ତରୀୟ ଅନେକ ଅଧିକାରୀ ବୃନ୍ଦ, ନିର୍ବାଚିତ ଲୋକ ପ୍ରତିନିଧି ଓ ବିଜେଡି ଦଳୀୟ କର୍ମୀ । ରୁଟ ଚାର୍ଟ ଅନୁଯାୟୀ ସକାଳ ୧୧ ଟାରେ ମ.ରାମପୁର କଲ୍ୟାଣ ମଣ୍ଡପର ଉଦ୍ଗାଟନ ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମ.ରାମପୁର କଲ୍ୟାଣ ମଣ୍ଡପ, କର୍ଲାମୁଣ୍ଡା ବ୍ଲକ ର ରିସିଡା ସାଗର, ବେଲଖଣ୍ଡି ଶିବ ମନ୍ଦିର ଏଭଳି କର୍ଲାମୁଣ୍ଡା ଓ ମ.ରାମପୁରର ୭ ଗୋଟି ପ୍ରକଳ୍ପ ପରିଦର୍ଶନ କରିବା ପରେ ମ.ରାମପୁର ଡାକ ବଙ୍ଗଳାରେ ମଧ୍ୟାହ୍ନ ଭୋଜନ ସାରି ଅପରାହ୍ନ ୨.୩୦ ରେ ଆସି ପହଂଚି ଥିଲେ ଭାନପୁର ସାଗର ପରିଦର୍ଶନ ପାଇଁ । ଏହାପରେ ନର୍ଲା ରାଣିବନ୍ଧ, ଆଲୋକ ଚନ୍ଦଙ୍କ ପୋଖରୀ, ନର୍ଲା ୫ଟି ହାଇସ୍କୁଲ, ନର୍ଲାରେ ନିର୍ମାଣାଧିନ ମିନି ଷ୍ଟାଡିୟମ ପରିଦର୍ଶନର କାର୍କ୍ଷ୍ୟକ୍ରମ ରହିଥିଲା । ହେଲେ ନର୍ଲାର ରାଣିବନ୍ଧ ପାଖକୁ ଯାଇଛନ୍ତି କି ନାହିଁ ସେଠାରୁ ହଠାତ ଛିନଛତ୍ର ଭାବରେ ଚାଲିଯାଇଥିଲେ ଲାଞ୍ଜିଗଡ ବ୍ଲକ ଅଭିମୁଖେ । ନର୍ଲାର ମିନି ଷ୍ଟାଡିୟମ, ନର୍ଲା ୫ଟି ହାଇସ୍କୁଲ ପ୍ରଭୃତିକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ ପରିଦର୍ଶନ ପାଇଁ ମଙ୍ଗିଲେ ନାହିଁ କାହିଁକି? ଅନ୍ୟପକ୍ଷେ ନର୍ଲାର ରାଣିବନ୍ଧ ପରିଦର୍ଶନ ସମୟରେ ନର୍ଲା ବିଧାୟକଙ୍କ ଆଗ୍ରହ କ୍ରମେ ସେ ନର୍ଲା ନିର୍ବାଚନ ମଣ୍ଡଳି ପରିଦର୍ଶନରେ ଆସିଥିବା ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଥିଲେ । ହେଲେ ଡଓଡିସି ଅଧ୍ୟକ୍ଷ ନର୍ଲାର ଦୁଇଗୋଟି ପ୍ରକଳ୍ପ ପରିଦର୍ଶନ ନକରି ଅଣଦେଖା କରି ଅଧପନ୍ତରିଆ ପରିଦର୍ଶନରେ ଚାଲିଗଲେ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିି ହେବା ସହ ଚାତକ ପରି ଅପେକ୍ଷା କରି ଚାହିଁରହିଥିବା ଜନସାଧାରଣ ନିରାଶ ହୋଇଛନ୍ତି । ମାନ୍ୟବର ନର୍ଲା ବିଧାୟକ, କଳାହାଣ୍ଡି ଜିଲ୍ଲାପାଳ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ, ନର୍ଲା ବିଡିଓ ବାସନ୍ତୀ ସେଠୀ ପ୍ରମୁଖ ଡବ୍ଲୁଓଡିସି ଅଧ୍ୟକ୍ଷଙ୍କ ସାଥିରେ ଥାଇ ଏମିତି କେମିତି ହେଲା? ଏମାନେ କଣ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କୁ ଠିକ୍ ଭାବରେ ମାର୍ଗଦର୍ଶନ ଦେଲେନି ନା ଏହାରି ପଛରେ ଆଉ କୌଣସି କାରଣ ରହିଛି ବୋଲି ବୁଢିଆଣି ଜାଲରେ ଛନ୍ଦି ହୋଇ ଜିଜ୍ଞାସା ପ୍ରକାଶ କରିଛନ୍ତି ଅଞ୍ଚଳବାସୀ ।