ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ । ଏଥିପାଇଁ ନୂଆ ନୂଆ କାରିଗରୀ ଜ୍ଞାନ କୌଶଳର ପ୍ରୟୋଗ କରାଯାଇଥାଏ । କିନ୍ତୁ ବେଳେବେଳେ ସେହି ପ୍ରୟୋଗ ଧାରା ଓ ଭିତ୍ତିଭୂମି ଏତେ ଭିନ୍ନ ହୋଇଥାଏ ଯେ, ଏହା କେବଳ ସେହି ଦେଶ ଭିତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥାଏ । ଚୀନ୍ରେ ଲୋକଙ୍କୁ ଆଶ୍ଚର୍ଯ୍ୟ କଲା ଭଳି ଏଭଳି ଏକ ରାଜପଥ ରହିଛି , ଯାହାକୁ ‘ନଦୀ ରାଜପଥ‘ ଭାବେ ପରିଚିତି ମିଳିଛି । ଏହି ରାଜପଥ ଦେଇଯିବା ବେଳେ ଆପଣ ଅଲଗା ଅନୁଭବ ପାଇବେ ନିଶ୍ଚୟ ।ଚୀନର ହୁବେଇ ଅଞ୍ଚଳରେ ରହିଛି ଏହି ରାଜପଥ । ଏହାର ନାମ ରଖାଯାଇଛି ‘ରିଭର ହାଇୱେ’ ବା ‘ନଦୀ ରାଜପଥ‘ । ଏହା ନଦୀ ମଝିରେ ନିର୍ମିତ । ୨୦୧୫ ମସିହାରେ ନିର୍ମିତ ହୋଇଥିବା ଏହି ରାଜପଥ ଜିଙ୍ଗଶାନ ଜିଲ୍ଲାର ଗୁଫୁଜେନ ସହରର ମଧ୍ୟରେ ନିର୍ମିତ ହୋଇଛି । ଏହା ଚାଇନାର ଦକ୍ଷିଣ ଭାଗରେ ଅବସ୍ଥିତ ।ଆପଣ ଏହି ରାଜପଥକୁ ପ୍ରଥମ ଥର ଦେଖିଲେ, ଆପଣଙ୍କ ମନକୁ ପ୍ରଶ୍ନ ଆସିବ ଯେ, ନଦୀ ମଧ୍ୟଭାଗରେ ଏହାକୁ ନିର୍ମାଣ କରିବାର କାରଣ କ’ଣ ହୋଇପାରେ ? ଯେହେତୁ ନଦୀ ପାଖରେ ନିୟମିତ ରାସ୍ତା ରହିଛି ସେ ଦୃଷ୍ଟିରୁ ନଦୀ ଭିତର ଦେଇ ଆଉ ଏକ ରାସ୍ତା ନିର୍ମାଣ କରାଯିବାର ଆବଶ୍ୟକତା କ’ଣ ହୋଇପାରେ ? ବିଶେଷକରି ଲୋକଙ୍କ ସୁବିଧା ଦୃଷ୍ଟିରୁ ରାଜପଥ ବଦଳରେ ନଦୀର ଅପରପାଶ୍ୱର୍କୁ ବ୍ରିଜ୍ ମଧ୍ୟ ନିର୍ମାଣ ହୋଇ ପାରିଥାନ୍ତା । ସମସ୍ତଙ୍କ ମନରେ ଏମିତି ଅନେକ ପ୍ରଶ୍ନ ଆସିବା ସ୍ୱାଭାବିକ ।ବାସ୍ତବରେ, ଏହି ରାଜପଥ ଯେଉଁଠାରେ ନିର୍ମିତ ହୋଇଛି ତାହା ଏକ ପାହାଡ଼ିଆ ଅଞ୍ଚଳ । ପର୍ବତ କାଟିବା, ଟନେଲ ନିର୍ମାଣ, ନଦୀ ନିକଟରେ ରହୁଥିବା ଲୋକଙ୍କୁ ହଟାଇବା ଏବଂ ସେଠାରେ ଥିବା ପଶୁ ଓ ପକ୍ଷୀମାନଙ୍କୁ କ୍ଷତି ପହଞ୍ଚାଇବା ଦ୍ୱାରା ରାଜପଥ ନିର୍ମାଣ କରିବା ଅତ୍ୟନ୍ତ କଷ୍ଟଦାୟକ ଏବଂ ପରିବେଶ ଉପଯୋଗୀ ହୋଇ ନଥାନ୍ତା । ଟନେଲ ପାଇଁ ମଧ୍ୟ ପାହାଡ଼ କାଟିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ । ଯେତେବେଳେ ଇଞ୍ଜିନିୟରମାନେ ଅନୁସନ୍ଧାନ କଲେ, ସେମାନେ ଜାଣିବାକୁ ପାଇଲେ ଯେ ନଦୀ ଉପରେ ବ୍ରିଜ ତିଆରି ନ କରି ରାଜପଥ ନିର୍ମାଣ କଲେ ବହୁତ ସହଜରେ ସବୁ ସମସ୍ୟାର ସମାଧାନ ହୋଇଯିବ । ପରେ ବିଭିନ୍ନ ଦୃଷ୍ଟିକୋଣକୁ ବିଚାର କରି ନଦୀରେ ସେତୁ ବଦଳରେ ରାଜପଥ ନିର୍ମାଣ କରାଯାଇଥିଲା । ଏହି ରାଜପଥଟିର ଲମ୍ବା ୪.୪ କିଲୋମିଟର । ଏହାକୁ ନିର୍ମାଣ କରିବା ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।