ତେଲୁଗୁ ନବ ବର୍ଷ ‘ଉଗାଦି’ଉତ୍ସବ ପାଳନ ପାଇଁ ଗଡିଲା ପ୍ରଚାର ରଥ

• ଯୋଗ ଦେବେ ତେଲୁଗୁ ସିନେଷ୍ଟାରଙ୍କ ସହ ହାସ୍ୟ କଳାକାର

• ୨ଦିନ ଧରି ଦୁଲକିବ ‘ଉଗାଦି ମଂଚ’

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ମାର୍ଚ୍ଚ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି ଦୁଲକିବ ‘ଉଗାଦି ମଂଚ’ । ତେଲୁଗୁ ସଂପ୍ରଦାୟର ନବ ବର୍ଷ ‘ଉଗାଦି’ ପାଳନ ତଥା ଏହି ଉତ୍ସବ ନିମନ୍ତେ ନେଇ ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ବେଳେ ଏହାର ବହୁଳ ପ୍ରଚାର ପ୍ରସାର ପାଇଁ ରାୟଗଡା ଜିଲ୍ଳା ଉଗାଦି ଉତ୍ସବ କମିଟି ପକ୍ଷରୁ ଏକ ପ୍ରଚାର ପ୍ରସାର ରଥ‘ର ଶୁଭାରମ୍ଭ କରାଯାଇଥିଲା । ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ପ୍ରାଙ୍ଗଣରେ ପ୍ରଚାର ରଥର ପୂଜାର୍ଚ୍ଚନା କରାଯାଇଥିବା ବେଳେ ଏହାକୁ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ପୁତ୍ର ଏନ.କ୍ରିଷ୍ଣା ଚୈତନ୍ୟ ଶୁଭାରମ୍ଭ କରିଥିଲେ । ଏଥିରେ କମିଟିର କୋଷାଧ୍ୟକ୍ଷ ଇପିଲି ସନ୍ୟାସି ରାଜୁ, ପିଭିପି ରାମୁ, ବି.ତିରୁପତି, କିରଣ କୁମାର, ଜୟନ୍ତି ମହାରଣାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ମହାମାରୀ କରୋନା କଟକଣା ଯୋଗୁଁ ଏହି ଉତ୍ସବ ବନ୍ଦ ରହିଥିବା ବେଳେ ପୁଣି ଥରେ ଚଳିତ ବର୍ଷ ରାୟଗଡା ସହରର ସମସ୍ତ ତେଲୁଗୁ ସଂପ୍ରଦାୟର ଭାଇଭଉଣୀମାନେ ଏକତ୍ରିତ ଭାବେ ଧୁମଧାମରେ ପାଳନ କରିବାକୁ ନିଷ୍ପତି ନେଇଛନ୍ତି । ଯାହାର ମଙ୍ଗ ଧରିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ଉଗାଦି ଉତ୍ସବ କମିଟି ସଭାପତି ଏନ.ଭାସ୍କର ରାଓ । ଭାଇଚାରାର ସହର ରାୟଗଡାରେ ତେଲୁଗୁ ଭାଇଭଉଣୀମାନେ ପ୍ରତିବର୍ଷ ଉଗାଦି ତଥା ନବ ବର୍ଷକୁ ହର୍ସଉଲ୍ଳାସରେ ପାଳନ କରିଥାନ୍ତି । ଉଗାଦିରେ ତେଲୁଗୁ ସମ୍ପ୍ରଦାୟର ନୂତନ ପାଞ୍ଜି ପଠନ ହୋଇଥାଏ। ଚଳିତ ବର୍ଷ ସ୍ଥାନୀୟ ତେଜସ୍ୱୀ ହୋଟେଲ ସମ୍ମୁଖ ପଡିଆରେ ୨ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ନିମନ୍ତେ ମାର୍ଚ୍ଚ ୧୫ତାରିଖରେ ରଙ୍ଗୋଲି ଓ ମେହେନ୍ଦି, ୧୬ରେ ପାରମ୍ପରିକ ଫେନ୍ସି ଡ୍ରେସ୍ ସହ ୧୭ତାରିଖରେ ବିଭିନ୍ନ ପ୍ରକାର ସୁସ୍ୱାଦ୍ୟ ତେଲୁଗୁ ଖାଦ୍ୟ, ଗୋଟିଏ ମିନିଟ୍ ସୋ ଏବଂ ଉଗାଦି କୁଇନ୍ ଭଳି ପ୍ରତିଯୋଗିତା ସଭା ସ୍ଥାନରେ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି । ସେହିପରି ଉଗାଦି ମଂଚରେ ତେଲୁଗୁ ଚଳଚିତ୍ର ଜଗତର ଖ୍ୟାତାନାମା ସିନେଷ୍ଟାରଙ୍କ ସହ ହାସ୍ୟ କଳାକାରମାନେ ଯୋଗ ଦେଇ ରାୟଗଡାବାସୀଙ୍କୁ ଅଧିକ ଉତ୍ସାହିତ କରିବେ ବୋଲି କମିଟି ପକ୍ଷରୁ ପ୍ରକାଶ କରାଯାଇଛି । ଶୁଭାରମ୍ଭ ହୋଇଥିବା ପ୍ରଚାର ରଥଟି ରାୟଗଡା, କୋତାପେଟା, କୁମୁଟିପେଣ୍ଠ, ଜେକେପୁର ଆଦି ଅଂଚଳରେ ପ୍ରଚାର କରିବ । ଉଗାଦି ପାଳନକୁ ନେଇ ଏବେ ଠାରୁ ରାୟଗଡା ସହରରେ ଏକ ପ୍ରକାର ଚଳଚଂଚଳ ଦେଖିବାକୁ ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.