ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଆଲ୍ଲାହାବାଦ ହାଇକୋର୍ଟ ପରିସରରୁ ହଟିବ ମସଜିଦ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଥିବା ମସଜିଦକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଲିଜ୍ ସମ୍ପତ୍ତି ଉପରେ ନିର୍ମିତ ହୋଇଥିବାରୁ ହଟାଇବାକୁ ଦେଲେ ନିର୍ଦ୍ଦେଶ । ଏନେଇ ୩ ମାସ ଭିତରେ ହଟାଇବାକୁ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ୍ ଏମ୍‌ଆର୍‌ ଶାହ ତାଙ୍କ ଖଣ୍ଡପୀଠରେ ଶୁଣାଇଛନ୍ତି ଏହି ରାୟ  ।ସୂଚନା ଅନୁଯାୟୀ, ଆଲ୍ଲାହାବାଦ ହାଇକୋର୍ଟ ପରିସରରେ ଏକ ମସଜିଦ ରହିଥିଲା  । ଯାହା ଲିଜ୍‌ ସମ୍ପତ୍ତି ଉପରେ ରହିଥିଲା  । ବର୍ତ୍ତମାନ ଉକ୍ତ ମସଜିଦ୍‌କୁ ହଟାଇବାପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ନଭେମ୍ବର ୨୦୧୭ରେ ଆଲ୍ଲାହାବାଦ ହାଇକୋର୍ଟ ୩ ମାସ ଭିତରେ ଉକ୍ତ ମସଜିଦକୁ କୋର୍ଟ ପରିସରରୁ ହଟାଇବାକୁ ଆଦେଶ ଦେଇଥିଲେ। ଏହା ବିରୋଧରେ ୱାକଫ ମସଜିଦ ହାଇକୋର୍ଟ ଓ ୟୁପି ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସର୍ବୋଚ୍ଚ ଅଦାଲତ ସୋମବାର ଏହି ଆବେଦନକୁ ଖାରଜ କରିଦେବା ସହ ଲିଜ୍ ଅବଧି ପୂରିଯାଇଥିବାରୁ ତାହା ଉପରେ ସେମାନଙ୍କର ଆଉ କୌଣସି ଅଧିକାର ନାହିଁ ବୋଲି କହିଛନ୍ତି। ଏଥି ସହ ତିନିମାସ ଭିତରେ ମସଜିଦକୁ ହଟାଇବାକୁ ଆଦେଶ ଦେଇଛନ୍ତି। ଜଷ୍ଟିସ୍ ଏମ୍‌ଆର୍‌ ଶାହ ଓ ସିଟି ରବିକୁମାରଙ୍କ ବେଞ୍ଚ କହିଛନ୍ତି ଯେ ଆବେଦନକାରୀମାନେ ଆଖପାଖ ନୂତନ ଜାଗାରେ ମସଜିଦ ନିର୍ମାଣ ନିମନ୍ତେ ଜମି ଦେବା ଲାଗି ରାଜ୍ୟ ସରକାରଙ୍କୁ ଆବେଦନ କରିପାରିବେ। କୋର୍ଟ ପୁଣି କହିଛନ୍ତି ଯେ ଆବେଦନକାରୀମାନେ ଯଦି ୩ ମାସ ଭିତରେ ମସଜିଦକୁ ନ ଭାଙ୍ଗନ୍ତି ତେବେ କର୍ତ୍ତୃପକ୍ଷ କିମ୍ବା ହାଇକୋର୍ଟ ଏହାକୁ ଭାଙ୍ଗିଦେଇପାରିବେ। ବର୍ତ୍ତମାନ ଲିଜ୍ ଅବଧି ପୂରିଯାଇଥିବାରୁ ଆବେଦନକାରୀମାନେ ତାକୁ ରଖିବାକୁ ଦାବି କରିପାରିବେ ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.