ସର୍ଗିଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଜଳଛତ୍ର ଆରମ୍ଭ : ଅନ୍ୟ ପଞ୍ଚାୟତ ଗୁଡିକରେ ଶୀଘ୍ର ଜଳଛତ୍ର ଆରମ୍ଭ କରିବାକୁ ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର ସରର୍ଗିଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଅପ୍ରେଲ ପହିଲା ଉତ୍କଳ ଦିବସ ଦିନରୁ ଆରମ୍ଭ ହୋଇଯାଇଛି ଜଳଛତ୍ର । ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳର ପ୍ରମୁଖ ୪ ଗୋଟି ସ୍ଥାନ ସର୍ଗିଗୁଡା ଲେବୁଲ କ୍ରସିଂ ରେଳ ଫାଟକ ନିକଟରେ, ନର୍ଲା ତହସିଲ ଅଫିସ ସମ୍ମୁଖ, ତୁଳାଗାଁ ତିନି ଛକ ଓ ବାଙ୍କେଲ ଆମ୍ବ ବଗିଚାରେ ଅପ୍ରେଲ ପହିଲାରୁ ଆରମ୍ଭ ହୋଇଯାଇଛି ଜଳଛତ୍ର । ସର୍ଗିଗୁଡାର ସରପଞ୍ଚ ଦୀପାଞ୍ଜଳୀ ବୁଦ୍ଧିଆ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଳଛତ୍ର ଆରମ୍ଭ ହୋଇଛି । ଏକ ଅସ୍ଥାୟୀ ଡାଳ କୁଡିଆ ଘର କରାଯାଇଛି ଏବଂ ସେଠାରେ ମାଠିଆ ରେ ବଡି ସକାଳୁ ପାଣି ଭର୍ତ୍ତି କରି ପଥଚାରୀ ଓ ଜନସାଧାରଣଙ୍କୁ ଥଣ୍ଡା ପାନୀୟ ଜଳ ଉପଲବ୍ଧ କରାଯାଉଥିବା କଥା ସର୍ଗିଗୁଡା ସରପଞ୍ଚ ଶ୍ରୀମତୀ ବୁଦ୍ଧିଆ କହିଛନ୍ତି । ପ୍ରତି ଜଳଛତ୍ର କେନ୍ଦ୍ରରେ ପ୍ରତ୍ୟହ ୧୦୦ ରୁ ଉର୍ଦ୍ଧ୍ବ ପଥଚାରୀ ଓ ଜନସାଧାରଣ ଏଭଳି ୪୦୦ ରୁ ଉଦ୍ଧ୍ୱର୍ ବ୍ୟକ୍ତି ଥଣ୍ଡା ପାନୀୟ ଜଳ ପିଉଥିବା ଜଣାପଡିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରତିବର୍ଷ ଅପ୍ରେଲ ମାସ ଆରମ୍ଭରୁ ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ଜନସମାଗମ ସ୍ଥଳ ଗୁଡିକରେ ଗ୍ରାମ ପଞ୍ଚାୟତ ତରଫରୁ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥାଏ । ହେଲେ ଚଳିତ ବର୍ଷ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଓ ଅନ୍ୟ କେତେକ ପଞ୍ଚାୟତକୁ ବାଦ୍ ଦେଲେ ୧୦ ରୁ ଉର୍ଦ୍ଧ୍ବ ଗ୍ରାମ ପଞ୍ଚାୟତ ଗୁଡିକରେ ଏ ଯାଏଁ ଆରମ୍ଭ ହୋଇନି ଜଳଛତ୍ର । ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ଶୁଣିବାକୁ ଜାଣିବାକୁ ମିଳୁଛି । ମାର୍ଚ୍ଚ ମାସ ଶେଷ ଭାଗରେ କାଳ ବୈଶାଖି ପ୍ରଭାବରେ ସପ୍ତାହ ବ୍ୟାପୀ ବର୍ଷା ଯୋଗୁଁ ତାତିରୁ ଟିକେ ଉପଶମ ମିଳିଥିଲା । ହେଲେ ଅପ୍ରେଲ ପହିଲାରୁ ପ୍ରବଳ ଗରମ ଅନୁଭୁତ ହେଉଛି । ଏଭଳି ସମୟରେ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ତରଫରୁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ୪ ଗୋଟି ଜନସମାଗମର କେନ୍ଦ୍ର ସାଜିଥିବା ଛକରେ ପାନୀୟ ଜଳର ଏଭଳି ସୁବ୍ୟବସ୍ଥା ଯୋଗୁଁ ବିବିନ୍ନ ମହଲରୁ ସର୍ଗିଗୁଡା ଗ୍ରାମ ପଞ୍ଚାୟତକୁ ପ୍ରଶଂସା କରାଯାଉଥିବା ଶୁଣିବାକୁ ମିଳୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.