ଛପନ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ପଡ଼ିଲା; ନିସ୍ତବ୍ଧ ରୁପ୍ରାରୋଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ଦେବସର ଧାମ ଦୁର୍ଗା ମନ୍ଦିର ରୁପ୍ରାରୋଡର ପ୍ରତିଷ୍ଠା ଉତ୍ସବ ପାଇଁ ଗତ ଅପ୍ରେଲ ୧୭ରୁ ଆରମ୍ଭ ହୋଇଥିବା ଛପନ ପ୍ରହର ଅଖଣ୍ଡ ନାମଯଜ୍ଞ ଆଜି ୨୪ ତାରିଖ ସୋମବାର ସକାଳ ୭.୩୫ରେ ପୂର୍ଣ୍ଣାହୁତି ସହ ସମାପନ ହୋଇଯାଇଛି । ଦୀର୍ଘ ଆଠଦିନ ଧରି ଆୟୋଜିତ ଏହି ନାମ ଯଜ୍ଞରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳର ସଂକିର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ । ଦିନରାତି ‘ହରେ କୃଷ୍ଣ ହରେ ରାମ’ ନାମରେ ଗୁଞ୍ଜରିତ ହୋଇ ଉଠୁଥିଲା ରୁପ୍ରାରୋଡ ବସ୍ତି । ତେବେ ଆଜି ନାମ ସଂପନ୍ନ ପରେ ନିସ୍ତବ୍ଧ ହୋଇଯାଇଛି ରୁପ୍ରାରୋଡ । ଆଉ ଶୁଭୁନାହିଁ ପରମ ପବିତ୍ର ହରେ କୃଷ୍ଣ ହରେ ରାମ ନାମ । ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ବସ୍ତିର ଦେବସର ଧାମ ଦୁର୍ଗା ମନ୍ଦିର ପ୍ରତିଷ୍ଠା ପାଇଁ ଗତ ୧୬ ତାରିଖରୁ ଉତ୍ସବ ଆରମ୍ଭ ହୋଇଥିଲା । ଏନେଇ ଘୃତ ଯଜ୍ଞ, ନାମ ଯଜ୍ଞ, ଜ୍ଞାନ ଯଜ୍ଞ ଓ ଅନ୍ନ ଯଜ୍ଞର ଆୟୋଜନ ହୋଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରର ବେଦଜ୍ଞ ପଣ୍ଡିତମାନେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସଂପାଦନ କରିଥିଲେ । ଗତକାଲି ଅପ୍ରେଲ ୨୩ ପବିତ୍ର ଅକ୍ଷୟ ତୃତୀୟାର ଶୁଭ ଅବସରରେ ସିଂହାସନ ଆରୋହଣ କରିଥିଲେ ଦେବସର ଓ୍ବାଲି ଦେବୀ ଦୁର୍ଗା ଓ ବିଗ୍ରହ ସମୁହ । ସନ୍ଧ୍ୟାରେ ଭଜନ ସମାରୋହ ହୋଇଥିଲା । ଆଠ ଦିନଧରି ନାମ ଯଜ୍ଞ ଦର୍ଶନ ଶ୍ରବଣ ସହ ମିନାବଜାର ଓ ଯାତ୍ରାର ମଜା ନେବା ସହ ଦୈବି କୃପା ଲାଭ କରିଥିଲେ ଶ୍ରଦ୍ଧାଳୁ । ତେବେ ରୁପ୍ରାରୋଡ ଅଞ୍ଚଳବାସୀଙ୍କ ସହଯୋଗ କ୍ରମେ କାର୍ଯ୍ୟକ୍ରମ ସମୁହ ସୁଚାରୁରୂପେ ସମ୍ପାଦନା ହୋଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ଦେବସର ଧାମ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ମୁଲଚାନ୍ଦ ଅଗ୍ରୱାଲ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.