କଳାହାଣ୍ଡି ଆସୁଛନ୍ତି ଭିକେ ପାଣ୍ଡିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଚଳଚଞ୍ଚଳ ହୋଇ ଉଠିଛି କଳାହାଣ୍ଡି । ୧୯ରେ ଆସୁଛନ୍ତି 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନ । ସେ ଶୁକ୍ରବାର ସକାଳୁ ହେଲିକେପ୍ଟର ଯୋଗେ ଆସି ଉତ୍କେଲା ଏୟାର ଷ୍ଟ୍ରିପରେ ଓହ୍ଲାଇବେ । ସେଠାରେ ଏୟାରଷ୍ଟ୍ରିପର ଲାଇସେନ୍ସିଂ ସଂପର୍କରେ ଆଲୋଚନା କରିବେ । ସେଠାରୁ ବେଲଖଣ୍ଡି ଶିବ ମନ୍ଦିର ଯାଇ ପରିଦର୍ଶନ କରିବେ । ସଡ଼କପଥରେ ମ.ରାମପୁରରେ ପହଞ୍ଚିବେ । ସେଠାରେ ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଥିବା ମ. ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ଓ ପ୍ରସ୍ତାବିତ ସାନ୍ଦୁଲ ଜଳସେଚନ ପ୍ରକଳ୍ପ ସଂପର୍କରେ ତଦାରଖ କରିବେ । ସେଠାରୁ ନର୍ଲା ଯିବାର କାର୍ଯ୍ୟକ୍ରମ ରହିଛି । ନର୍ଲାର ମିଶନ ଶକ୍ତି କାଫେ‌ ଓ ମିନି ଷ୍ଟାଡ଼ିୟମ ପରିଦର୍ଶନ କରିବେ । ଏହାପରେ ଭବାନୀପାଟଣା ଆସିବା ସହିତ ପୋଲିସ ହାଇସ୍କୁଲ, ଆଶା ସାଗର ପରିଦର୍ଶନ କରି ଜୁନାଗଡ଼ ଯିବେ । ସେଠାରେ ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମ, ଲଙ୍କେଶ୍ବରୀ ମନ୍ଦିର ପରିଦର୍ଶନ କରି ପୁଣି ଭବାନୀପାଟଣା ଫେରିଆସିବାର କାର୍ଯ୍ୟକ୍ରମ ରହିଛି । ଭବାନୀପାଟଣାରେ ନବନିର୍ମିତ ମେଡିକାଲ କଲେଜ ଓ ଟିଚିଂ କ୍ୟାମ୍ପସ, ଓୟୁଏଟି କ୍ୟାମ୍ପସ ପରିଦର୍ଶନ ପରେ ଭବାନୀପାଟଣା ଟାଉନ୍ ହଲ୍ ରେ ମିଶନଶକ୍ତିର ମହିଳାମାନଙ୍କ ସହିତ ଆଲୋଚନା କରିବେ । ସେହିପରି ଭବାନୀପାଟଣା ସ୍ପୋର୍ଟ୍ସ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ । ଏହାପରେ ଲାଞ୍ଜିଗଡ଼ ଭଟାଙ୍ଗପଦର ଇକୋ ଟୁରିଜିମ୍ କମ୍ପ୍ଲେକ୍ସରେ ରାତ୍ରିଯାପନ କରିବେ । ତାଙ୍କ ଦ୍ବିତୀୟ ଦିନର ଗସ୍ତରେ ସେ ପିପଲ ନାଳା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଭଟାଙ୍ଗପଦର ହାଇସ୍କୁଲ ଓ ଖେଳପଡ଼ିଆ ପରିଦର୍ଶନ କରିବା ପରେ ଥୁଆମୂଳ ରାମପୁର ବ୍ଲକ ପରିଦର୍ଶନରେ ହେଲିକେପ୍ଟରରେ ବାହାରିବେ । ସେଠାରେ ମାଁ ମାଣିକେଶ୍ବରୀ ମହାବିଦ୍ୟାଳୟ, ପ୍ରସ୍ତାବିତ ଡିଗ୍ରୀ କଲେଜ, ପିଡବ୍ଲ୍ୟୁଡି ବଙ୍ଗଳା ପରିଦର୍ଶନ ପରେ ହେଲିକେପ୍ଟରରେ କଲମପୁର ବ୍ଲକ ଗସ୍ତରେ ଯିବେ । କଲମପୁର ମିନି ଷ୍ଟାଡ଼ିୟମ ପରିଦର୍ଶନ ଓ ସ୍ଥାନୀୟ ଲୋକଙ୍କ ସହିତ ମତ ବିନିମୟ କରିବେ । ସେଠାରୁ ଜୟପାଟଣା ମଙ୍ଗଳପୁର ବ୍ୟାରେଜରେ ପ୍ରସ୍ତାବିତ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିୟମ୍ ପରିଦର୍ଶନ କରିବେ । ସେଠାରୁ ଆମପାଣି ବୁଢ଼ାରଜା ପୀଠ, ଗୁଡ଼ହାଣ୍ଡି- ଡୋକରିଚଞ୍ଚରା ପରିଦର୍ଶନ ପରେ ଧର୍ମଗଡ଼ ବ୍ଲକ ଗସ୍ତରେ ଯିବେ । ସେଠାରେ ଆହାର କେନ୍ଦ୍ର, ଭଣ୍ଡାରଘରଣୀ ମନ୍ଦିର, ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡ଼ିୟମ୍, ପଞ୍ଚାୟତ କଲେଜ, ବିଜୁ କଲ୍ୟାଣ ମଣ୍ଡପ, ଯଶୋଦା ଅନାଥାଶ୍ରମ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି । ଏହାପରେ ସେ ଧର୍ମଗଡ଼ ପିଡବ୍ଲ୍ୟୁଡି ବଙ୍ଗଳାରେ ରାତ୍ରିଯାପନ କରିବେ । ସେ ଧର୍ମଗଡ଼ରୁ ବାହାରି ଗୋଲାମୁଣ୍ଡା ବ୍ଲକ ବ୍ରୁନ୍ଦାବାହାଲ ବିଦ୍ୟୁତ୍ ଗ୍ରୀଡ଼ ପରିଦର୍ଶନ କରିବେ । ସେଠାରୁ ସେ ନୂଆପଡ଼ା ଜିଲ୍ଲା ଗସ୍ତରେ ଯିବେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.