ବଢ଼ିବ ପାରଦ ବଢ଼ିବ ତାତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୨୦୨୩ରୁ ୨୦୨୭, ତାତିରୁ ମିଳିବନି ତ୍ରାହି । ବଢ଼ିବ ପାରଦ ବଢ଼ିବ ତାତି । ଏବେ ଭାରତ ସହ ବିଶ୍ୱର ଅନେକ ଦେଶରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ବର୍ଷକୁ ବର୍ଷ ତାପମାତ୍ରା ମଧ୍ୟ ବଢ଼ି ଚାଲିଛି । ଡବ୍ଲୁଏମ୍ଓ (ୱାର୍ଲ୍ଡ ମେଟ୍ରୋଲୋଜିକାଲ୍ ଅର୍ଗାନାଇଜେସନ୍) ଅନୁସାରେ, ୨୦୨୩ରୁ ୨୦୨୭ ମଧ୍ୟରେ ଅଧିକ ଗରମ ଅନୁଭୂତ ହେବ । ଏଥିସହ ଡବ୍ଲୁଏମ୍ଓ ଆହୁରି କହିଛି, ଆଗାମୀ ୫ ବର୍ଷ ମଧ୍ୟରୁ ଏମିତି ଏକ ବର୍ଷ ରହିବ ଯେଉଁ ବର୍ଷ ତାତି ୨୦୧୬ର ତାପମାତ୍ରା ରେକର୍ଡଙ୍କୁ ଭାଙ୍ଗିବ । ଜାତିସଂଘର ବିଶ୍ୱ ପାଣିପାଗ ବିଜ୍ଞାନ ସଂସ୍ଥାର ଏଭଳି ଆକଳନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବେଶବିତ୍ । ଡବ୍ଲୁଏମ୍ଓ ଅନୁସାରେ, ଆଗାମୀ ୫ ବର୍ଷରେ ଅତ୍ୟଧିକ ଗରମ ଅନୁଭୂତ ହେବାର ୯୮ ପ୍ରତିଶତ ସମ୍ଭାବନା ରହିଛି ।‌ସେହିଭଳି ଗ୍ରୀନ୍ ହାଉସ୍ ଗ୍ୟାସ୍ ଏବଂ ଅଲ୍ ନିନୋ ପାଇଁ ତାପମାତ୍ରା ବଢ଼ିବ ବୋଲି ଜାତିସଂଘ ଚେତାବନୀ ଦେଇଛି । କୁହାଯାଉଛି, ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ପାଇଁ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ୨୦୨୩-୨୦୨୭ ମଧ୍ୟରେ ବୈଶ୍ୱିକ ତାପମାତ୍ରା ହାରାହାରି ୧.୫ ଡିଗ୍ରୀ ବାର୍ଷିକ ବୃଦ୍ଧି ପାଇପାରେ ବୋଲି ଡବ୍ଲୁଏମ୍ଓ ଅନୁମାନ କରିଛି । ଆଗାମୀ ୫ ବର୍ଷରେ ପ୍ରତିବର୍ଷ ତାପମାତ୍ରା ବୃଦ୍ଧିକୁ ୧.୧ ଡିଗ୍ରୀରୁ ୧.୮ ଡିଗ୍ରୀ ସେଲସିୟସ୍ ଶ୍ରେଣୀରେ ରଖା ଯାଇଛି । ତା ଛଡ଼ା ଏଲ୍ ନିନୋ ପ୍ରଭାବରେ ପ୍ରଶାନ୍ତ ମହାସାଗରରେ ପାଣିପାଗରେ ପରିବର୍ତ୍ତନ ଆସିବ । ଯାହା ଫଳରେ ଅଦିନରେ ବର୍ଷା, ଅଦିନରେ ଥଣ୍ଡା ସ୍ଥିତି ଉପୁଜିବ । ଏଲ୍ ନିନୋ ବିକଶିତ ହେବା ପରେ ୨୦୨୪ ପରେ ବୈଶ୍ୱିକ ତାପମାତ୍ରା ବଢ଼ିପାରେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.