ବିଶ୍ୱ ସ୍ପେଶାଲ ଅଲିମ୍ପିକ କ୍ରୀଡାରେ ଭାଗନେବେ ଟିକ୍ରାପଡା ଗାଁର ବୈଷ୍ଣବ ରାଜପଲିଆ

ସଭା କରି ଗାଁ ଲୋକେ ଦେଲେ ଆଶୀର୍ବାଦ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଜର୍ମାନୀର ବର୍ଲିନ ଠାରେ ଚଳିତ ମାସ ୧୭ରୁ ୨୬ ତାରିଖ ଯାଏ ବିଶ୍ୱ ସ୍ପେଶାଲ ଅଲିମ୍ପିକ୍ସ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ | ଏଥିରେ ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ଗାଁର ବୈଷ୍ଣବ ରାଜପଲିଆ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି | ଏନେଇ ସମଗ୍ର ଜିଲ୍ଲାରେ ଆନନ୍ଦ ପ୍ରକାଶ ପାଇବା ସହ ବୈଷ୍ଣବଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି | ଏହି ଅବସରରେ ଟିକ୍ରାପଡା ଗ୍ରାମରେ ଗ୍ରାମବାସୀଙ୍କ ତରଫରୁ ବୈଷ୍ଣବଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା | ଏଥିରେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ରାଜପଲିଆ ସଭା ସଂଯୋଜନା କରିଥିବା ବେଳେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ କୋଚ ଉମାକାନ୍ତ ଷଡ଼ଙ୍ଗୀ, ସଇଁତଲା ଭିନ୍ନକ୍ଷମ ବିଦ୍ୟାଳୟ ଅଧ୍ୟକ୍ଷ ଦେବାନନ୍ଦ ସାହୁ, ବ୍ଲକ କାର୍ଯ୍ୟାଳୟ କିରାଣୀ ତରୁଣାକର ଧରୁଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ବୈଷ୍ଣବଙ୍କ ବାପା ଭୁବନେ ରାଜପଲିଆ, ମାଆ କସ୍ତୁରୀ ରାଜପଲିଆ, ସରପଞ୍ଚ ନରେନ୍ଦ୍ର କଲେତ, ଅବସରପ୍ରାପ୍ତ ଶିକ୍ଷକ ଚନ୍ଦ୍ରମଣି ସିଂଦେଓ, ଶିକ୍ଷକ ରୋହିତାଶ୍ୱ ସୁଆର, ବରିଷ୍ଠ କ୍ରୀଡ଼ାବିତ ଭକ୍ତବନ୍ଧୁ ପଶାୟତ , ବିଜେଡି ନେତା ଦିଲ୍ଲୀପ ରାଜପଲିଆ, ଦିନମଣି ବାଗ, ବଳଭଦ୍ର ପଶାୟତ ପ୍ରମୁଖ ଉପସ୍ଥିତ ରହିଥିଲେ | ଶିଶୁ ସୈନିକ ବିଦ୍ୟାଳୟ, କେସବୀ କମ୍ପ୍ଲେକ୍ସ, ଯାଦବ ମହାସଭା, ଭାରତୀୟ କିଶାନ ସଂଘ, ସାମ୍ବାଦିକ ସଂଘ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ବୈଷ୍ଣବଙ୍କୁ ସମ୍ବର୍ଦ୍ଧନା ସହ ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିଲା | ଶେଷରେ ସାମାଜିକ କର୍ମୀ ଆନନ୍ଦ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.