ଏସିଆନ ଫେନ୍ସିଂ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଲେ ଭବାନୀ ଦେବୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ଷ୍ଟାର ଫେନ୍ସର ଭବାନୀ ଦେବୀ ଏସିଆନ ଫେନ୍ସିଂ ଚାମ୍ପିୟନଶିପରେ ପଦକ ଜିତି ଇତିହାସ ରଚିଛନ୍ତି । ଚୀନର ବୁକ୍ସିରେ ଅନୁଷ୍ଠିତ ଏହି ଚାମ୍ପିୟନଶିପରେ ଭବାନୀ ବ୍ରୋଞ୍ଜ ପଦକ ଜିତିଥିଲେ । ପୂର୍ବରୁ କୌଣସି ଭାରତୀୟ ଏଥିରେ ପଦକ ଜିତି ନ ଥିଲେ । ସେମିଫାଇନାଲରେ ଭବାନୀ ଦେବୀ ଉଜବେକିସ୍ତାନର ଜେନାବ ଡୋୟବେକୋବାଙ୍କ ନିକଟରୁ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧୪-୧୫ରେ ହାରି ଯାଇଥିଲେ । ସେମିରେ ପରାଜୟ ସତ୍ୱେ ଭବାନୀଙ୍କୁ ବ୍ରୋଞ୍ଜ ପଦକ ମିଳିଥିଲା । କ୍ୱାର୍ଟର ଫାଇନାଲରେ ବିଶ୍ୱ ଚାମ୍ପିୟନ ଜାପାନର ମିସାକୀ ଏମୁରାଙ୍କୁ ୧୫-୧୦ରେ ହରାଇ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ୨୯ ବର୍ଷୀୟା ଭବାନୀ ରାଉଣ୍ଡ ଅଫ ୬୪ରେ ବାଇ ପାଇଥିଲେ । ଭାରତୀୟ ଫେନ୍ସିଂ ଆସୋସିଏଶନ ଏହା ଏକ ଐତିହାସିକ ଉପଲବ୍ଧି ବୋଲି କହିଛି । ବିଭିନ୍ନ ମହଲରୁ ଭବାନୀଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେ ପ୍ରଥମ ଭାରତୀୟ ଫେନ୍ସର ଭାବେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲେ । ତେବେ ସେ ରାଉଣ୍ଡ ଅଫ ୩୨ରୁ ବିଦାୟ ନେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.