ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତ ୭ ତାରିଖରେ ଜିଲ୍ଲାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସାଳୟରୁ ସ୍ଥାନାନ୍ତରିତ ହୋଇ ସହରର ଆଶା ନର୍ସିଂହୋମରେ ଅସ୍ତ୍ରୋପଚାର ପରେ ଏକ ଶିଶୁକନ୍ୟାକୁ ପ୍ରସବ ପରେ ପ୍ରସୂତି ରଞ୍ଜିତା ବାଘଙ୍କ ପ୍ରଚୁର ରକ୍ତସ୍ରାବ ହେତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାଯୋଗୁଁ ତାଙ୍କୁ ଅସ୍ତ୍ରୋପଚାର କରିଥିବା ଡାକ୍ତର ମନୋଜ ନାୟକ ପ୍ରସୂତିଙ୍କୁ ସ୍ଥାନୀୟ ରକ୍ତ ଭଣ୍ଡାରରୁ ୫ୟୁନିଟ ରକ୍ତ ମଗାଇଥିଲେ ହେଁ ଅପରାହ୍ନ ୪ଟା ଭିତରେ ରଞ୍ଜିତାଙ୍କର ସ୍ୱାସ୍ଥ୍ୟ ବସ୍ଥାରେ ଉନ୍ନତି ନ ଆସିବାରୁ ତାଙ୍କୁ ଏକ ପ୍ରାଇଭେଟ ଆମ୍ବୁଲାନ୍ସରେ ବୁର୍ଲା ପଠାଇଥିଲେ ହେଲେ ସେଠାରେ ରଞ୍ଜିତା ଙ୍କର ମୃତ୍ୟୁ ହୋଇଥିଲା। ପ୍ରକାଶ ଯୋଗ୍ୟ ଯେ ନୂତନ ଜିଲ୍ଲାର ମାତୃ ଓ ଶିଶୁ ଡାକ୍ତରଖାନାରେ ବିଶେଷ ଧରଣର ଅତ୍ୟାଧୁନିକ ଚିକିତ୍ସା ସୁବିଧା ଥିବା ସତ୍ତ୍ୱେ ସେଠାରେ ରାତ୍ରି ଡିଉଟିରେ ଥିବା ଡାକ୍ତର ନାୟକ ପ୍ରସୂତି ରୋଗୀଙ୍କ ଅବସ୍ଥା ସ୍ୱାଭାବିକ ଓ ସ୍ଥିର ରହିଥିବା କହୁଥିବା ବେଳେ ସକାଳୁ ସେ ନିଜେପୁଣି କିପରି ବେସରକାରୀ ନର୍ସିଂହୋମ ରେ ସିଜରିଂ କଲେ ଓ ପରେ ପରେ ତାଙ୍କର ସ୍ୱାସ୍ଥ୍ୟ ର ଅବସ୍ଥା ଏଡ଼େ ଜଟିଳ ହୋଇପଡିଲା ଯେ ଶେଷରେ ରଞ୍ଜିତା ନିଜ ଜୀବନହରାଇବା ଭଳି ଏକ ଦୁଃଖଦ ଘଟଣା ଘଟିଗଲା ଏହାକୁ ରଞ୍ଜିତାଙ୍କ ପରିବାର ଲୋକେ ଓ ସହରବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଡାକ୍ତରଙ୍କ ଘରୋଇ ନର୍ସିଂହୋମ ପ୍ରୀତି ସାଙ୍ଗକୁ ଚିକିତ୍ସାରେ ଘୋର ଅବହେଳା ଯୋଗୁଁ ମହିଳା ରଂଜିତା ବାଘଙ୍କ ମୃତ୍ୟୁ ଘଟଣା ରେ ସହରର ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଆଜି ସ୍ଥାନୀୟ ସର୍କିଟ ହାଉସରେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ଶ୍ରୀ ବିମଳେନ୍ଦୁ ରାୟ ତାଙ୍କ ପ୍ରତିକ୍ରିୟାରେ ଏହି ଘଟଣା ରେ ଦୁଃଖ ପ୍ରକାଶ କରିବା ସହ ମୃତ ରଞ୍ଜିତାଙ୍କ ମୃତ୍ୟୁରେ ତାଙ୍କ ପରିବାର ବର୍ଗ ଙ୍କୁ ଗଭୀର ସମବେଦନା ଜଣାଇବା ସହ ଏହି ଘଟଣା ସଂପର୍କରେ ସେ ସଂପୂର୍ଣ୍ଣ ଜ୍ଞାତ ଅଛନ୍ତି ଓ ସିଡିଏମ୍ଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ତାଙ୍କର ତଦନ୍ତ ରିପୋର୍ଟ ଆଧାରରେ ଯଦିକେହି ଦୋଷୀ ଥିବେ ତାହେଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେବୋଲି କହିଛନ୍ତି I ଏହା ସହିତ ସରକାରଙ୍କ ନୂତନ ମାତୃ ଶିଶୁ କେନ୍ଦ୍ର ଭଳି ଏକ ଭବ୍ୟ ମେଡିକାଲ ରେ ଚିକିତ୍ସା ର ପର୍ଯ୍ୟାପ୍ତ ସୁବିଧା ଥିବା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ଥିବା ସତ୍ୱେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡା.ମନୋଜ ନାୟକଙ୍କ ନର୍ସିଂହୋମ ପ୍ରୀତି ଓ ବିଏସକେୱାଇ କାର୍ଡ ର ଅପବ୍ୟବହାର କୁ ଦୃଢ଼ ନିନ୍ଦା କରିଛନ୍ତି ବୁଦ୍ଧିଜୀବୀ l ଘଟଣାକୁ ଦୁର୍ଭାଗ୍ୟପୂର୍ଣ ବୋଲି ବୁଦ୍ଧିଜୀବୀ ପ୍ରଦୀପ ପୁରୋହିତ କହିଥିବା ବେଳେ ଏତେ ସୁନ୍ଦର ଆନୁଷଙ୍ଗିକ ସୁବିଧା ଥିବା ମାତୃ ଓ ଶିଶୁ ଚିକିତ୍ସାଳୟରୁ ନର୍ସିଂହୋମ ଆଣି ଅସ୍ତ୍ରୋପଚାର କରିବା ଓ ଏହାଦ୍ୱାରା ପ୍ରସୂତି ମାଁ ର ମୃତ୍ୟୁ ଘଟଣାକୁ ଏକ ଜଘନ୍ୟ ଭାବରେ ଦର୍ଶାଇଛନ୍ତି ବିଶିଷ୍ଟ ଶ୍ରମିକ ନେତା ଗୋବିନ୍ଦ ମହାରଣା ତଥା ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ ମଧ୍ୟ ତାଙ୍କ ପ୍ରତିକ୍ରିୟା ରେ ଏପରି ଦୁର୍ଭାଗ୍ୟପୂର୍ଣ ଘଟଣାର ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୃତ ରଞ୍ଜିତା ର ପରିବାରକୁ କ୍ଷତିପୂରଣ ଦେବାକୁ ସରକାରଙ୍କ ଠାରେ ଦାବି କରିଛନ୍ତି। ସେହିପରି ବ୍ରହ୍ମପୁର ର ମାନବାଧିକାର କର୍ମୀ ରବିନ୍ଦ୍ର ମିଶ୍ର ମଧ୍ୟ ସୋମବାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତକରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ମୃତ ରଞ୍ଜିତାଙ୍କ ପରିବାରକୁ ୫୦ଲକ୍ଷଟଙ୍କାର କ୍ଷତିପୂରଣ ଦେବାକୁ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ ପୂର୍ବକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜ଼ିଲ୍ଲା ସ୍ୱାସ୍ଥ୍ୟ ସେବାରେ ସମ୍ପୂର୍ଣ ସୁଧାର ଆଣିବାକୁ ଜ଼ିଲ୍ଲାପାଳ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ବୁଦ୍ଧିଜୀବି ମହଲ ଦାବି କରିଛନ୍ତି l