କାହା ସହ ନବୀନ ପଟ୍ଟନାୟକ ?

ଦୀର୍ଘ ୨୪ ବର୍ଷଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଥିବା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଅନେକ ବିକାଶମୂଳକ ଓ ଜନହିତକର କାର୍ଯ୍ୟ କରି ରାଜ୍ୟବାସୀଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି । ରାଜ୍ୟ ରାଜନୀତିରେ ବିଜେଡ଼ି ତଥା ମୁଖ୍ୟମନ୍ତ୍ରୀଙ୍କ ଦବଦବା ରହି ଆସିଥିବାବେଳେ ଜାତୀୟ ରାଜନୀତିରେ ନିଜର ଭିନ୍ନ ଆଭିମୁଖ୍ୟ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି ନବୀନ । ତେବେ ତାଙ୍କ ଆଭିମୁଖ୍ୟକୁ ଜାତୀୟ ରାଜନୀତିରେ ଆକଳନ କରିବା ଏତେ ସହଜ ନୁହଁ । କେତେବେଳେ ପ୍ରସଙ୍ଗ ଭିତ୍ତିରେ ବିଜେପିକୁ ସମର୍ଥନ କରିଛି ବିଜେଡି ତ ପୁଣି କେତେବେଳେ ବିଜେପି ଓ କଂଗ୍ରେସ ଠାରୁ ସମ-ଦୂରତାର କଥା କହିଛନ୍ତି ନେତା । କିନ୍ତୁ ସମ-ଦୂରତା କଥା କହିବାବେଳେ ଜାତୀୟ ରାଜନୀତିରେ ରୂପ ନେଉଥିବା ତୃତୀୟ ସାମୁଖ୍ୟକୁ ସମର୍ଥନ ବି କରିନାହାଁନ୍ତି । ତେଣୁ ଏବେ ବିରୋଧୀ କ୍ୟାମ୍ପରୁ ନୂଆ ଥିଓରୀକୁ ନେଇ ଚର୍ଚ୍ଚା ହେଉଛି । ଜାତୀୟ ରାଜନୀତିରେ ବିଜେଡି ଓ ବିଜେପି ଅନଔପଚାରିକ ଭାବେ ଏକାଠି ଥିବା କହିଛନ୍ତି ଟିଏମସି ନେତା । ଯାହାକୁ ଖଣ୍ଡନ କରିଛନ୍ତି ଉଭୟ ବିଜେଡି ଓ ବିଜେପି । ଟାଇମ୍ସ ଅଫ ଇଣ୍ଡିଆ କହିଛି, ନବୀନ ପଟ୍ଟନାୟକ ଫାଶୀବାଦ ସହିତ ଅଛନ୍ତି ଏବଂ ଅନୌପଚାରିକ ଭାବେ ବିଜେପି ସହିତ ବିଜେଡି ରହିଛି । ସେହିପରି ହିନ୍ଦି ସମ୍ବାଦପତ୍ର ଅମର ଉଜାଲା ମଧ୍ୟ ଟିଏମସି ନେତା ଡାରେକ ଓବ୍ରାଏନଙ୍କ କଥାକୁ ଉଲ୍ଲେଖ କରିଛି । ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଏବଂ ଦି ପ୍ରିଣ୍ଟ ୱେବସାଇଟରେ ମଧ୍ୟ ସମାନ ଧରଣର ଖବର ପ୍ରକାଶ ପାଇଛି । ଟିଏମସିର ରାଜ୍ୟସଭା ସାଂସଦ କହିଛନ୍ତି ‘ଦୁଇଜଣ ବ୍ୟକ୍ତି ଫାଶୀବାଦ ଅର୍ଥାତ ଏକଛତ୍ରବାଦର ପକ୍ଷ ନେଉଛନ୍ତି, ସେମାନଙ୍କ ଭିତରୁ ନବୀନ ପଟ୍ଟନାୟକ ଜଣେ । ଯିଏ କି ଅନୌପଚାରିକ ଭାବରେ ବିଜେପି ସହିତ ରହିଛନ୍ତି । ଏହା ତାଙ୍କର ବାଧ୍ୟବାଧ୍ୟକତା । ଆରଏସଏସକୁ ସୁହାଇଲା ଭଲି ତାଙ୍କର ଆଭିମୁଖ୍ୟ । ମଣିପୁରରେ ଭୟାବହ ସ୍ଥିତି କିମ୍ବା ସେଠାରେ ୨୫୦ ଚର୍ଚ୍ଚ ପୋଡି଼ ଦିଆଯିବା ସଂପର୍କରେ ନବୀନ ଚୁପ ରହିଛନ୍ତି । ଗତ ମେ’ ୨୭ ତାରିଖରେ ଦିଲ୍ଲୀରେ ନୀତି ଆୟୋଗ ବୈଠକରେ ଯୋଗ ଦେଇନଥିଲେ ମୁଖ୍ୟମନ୍ତ୍ରୀ । ଏହା ପରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନର ଉଦଘାଟନ କରାଗଲା, ଏହି କାର୍ଯ୍ୟକ୍ରମରୁ ମଧ୍ୟ ଦୂରେଇ ରହିଲେ ନବୀନ ପଟ୍ଟନାୟକ । ଅନ୍ୟପକ୍ଷରେ ବିଜେପି ଓ ମୋଦୀ ବିରୋଧୀ ଦଳଗୁଡିକ ନୂଆ ସଂସଦ ଭବନ ଉଦଘାଟନକୁ ସଂପୂର୍ଣ୍ଣ ବୈକଟ୍ କରିଥିଲେ । ହେଲେ ବିଜେଡିର ପ୍ରାୟ ସମସ୍ତ ସାଂସଦ ପାର୍ଲାମେଣ୍ଟ ଭବନ ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେଲେ । ଅର୍ଥାତ‌ ନବୀନ ପଟ୍ଟନାୟକ ବିରୋଧୀ ଗୋଷ୍ଠୀରୁ ନିଜକୁ ଦୂରେଇ ରଖିଲେ । ନିକଟରେ ବିହାରର ରାଜଧାନୀ ପାଟନାରେ ଅନୁଷ୍ଠିତ ହୋଇଥିବା ବିରୋଧି ବୈଠକରୁ ମଧ୍ୟ ଦୂରେଇ ରହିଲେ ନବୀନ । ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଖାସ କୁହାଯାଉଥିବା ଟିଏମସି ନେତା ଡାରେକ ଓବ୍ରାଏନଙ୍କ ବୟାନ ଜାତୀୟ ରାଜନୀତିରେ ବିଜେଡି ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ବଢାଇଛି । ରାଜ୍ୟ କଂଗ୍ରେସ ନେତା ମଧ୍ୟ ବିଜେଡି ଓ ବିଜେପି ଏକାଠି ରହିଥିବା କହି ଘେରିଛନ୍ତି । ଅନ୍ୟପକ୍ଷରେ ଟିଏମସି ଓ କଂଗ୍ରେସର ଏଭଳି ଅଭିଯୋଗକୁ ଅବାନ୍ତର କହି ଉଡାଇ ଦେଇଛି ବିଜେଡି । ବିଜେପିକୁ ସମର୍ଥନ ଦେବା ପଛରେ ବିଜେଡିର କୌଣସି ବାଧ୍ୟବାଧ୍ୟକତା ନାହିଁ, ବରଂ ବିଜେପିର ଥାଇପାରେ ବୋଲି କହିଛନ୍ତି ବିଜେଡି ନେତା । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍ ପ୍ରଶ୍ନ କରିଛନ୍ତି, ଏମିତି କଣ ମଜବୁରୀ ଅଛି ଯେ ବିଜେଡି ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଛି ? ଏହା ବିଜେଡିର ଡବଲ ଷ୍ଟାଣ୍ଡାର୍ଡ ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ କଂଗ୍ରେସ ଟିଏମସିର ଅଭିଯୋଗକୁ ସମର୍ଥନ କରିଛି। କହିଛି ସିବିଆଇ, ଇଡି ଭୟରେ ବିଜେଡି ସବୁଥିରେ ବିଜେପିକୁ ସମର୍ଥନ କରୁଛି । ତେବେ ବିଜେପି ଓ କଂଗ୍ରେସର ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ବିଜେଡି କୌଣସି ଦଳ ସହ ସାମିଲ ନାହିଁ। ଟିଏମସି ଯାହା ଅଭିଯୋଗ କରିଛି ତାହା ସଂପୂର୍ଣ୍ଣ ମିଛ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.