ଶ୍ରାବଣରେ ଡହ ଡହ ଖରା: ଶୁଖିଲା ଜମି, ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀକୂଳ ହତାଶ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଆଷାଢ ସରି ଶ୍ରାବଣ ଚାଲିଛି ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି। ମୌସୁମୀ ବାୟୁ ଦୁର୍ବଳ ହେତୁ ବର୍ଷାର ପରିମାଣ କମ୍ ରହିଛି। ପାଣି ଅଭାବ ଯୋଗୁଁ ଚାଷୀକୂଳ ହତାଶ ହୋଇପଡିଛନ୍ତି। ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁଁ ଆଗେଇ ପାରୁନି ଚାଷ କାମ। ବର୍ଷାର ଆଗମନ ଦେଖି ଚାଷୀ ଧାନ ବିହନ ସଂଗ୍ରହ କରି ତଳି ପକାଇଥିଲେ। କିନ୍ତୁ ବର୍ଷା ହେଉନଥିବାରୁ ଏବେ ସେ ସବୁ ତଳି ମରିବାକୁ ବସିଲାଣି। ବୁଣା ଯାଇଥିବା ତଳି ବିଲ ମଧ୍ଯ ଫାଠି ଆଁ କଲାଣି। ତେଣୁ ତଳିକୁ ବଞ୍ଚାଇବା ପାଇଁ ଚାଷୀ ନୂଆ ଓ କେଉଁ ଖାଲ ଜମିରୁ ପାଣି ସଂଗ୍ରହ କରି ବିଲରେ ଛିଞ୍ଚୁଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସମେତ  ତୁମୁଡିବନ୍ଧ, କୋଟଗଡ, କ.ନୂଆଗାଁ ଭଳି ଆଖ ପାଖ ପ୍ରତ୍ୟେକ ବ୍ଲକ ଅଞ୍ଚଳରେ ଏହି ଦୃଶ୍ୟ ଦେଖ‌ିବାକୁ ମିଳିଛି। ଏବେସୁଦ୍ଧା ୫୦ ପ୍ରତିଶତ ଧାନ ଜମି ରୁଆ ସରିବାକୁ ଥିବାବେଳେ ନିଅଣ୍ଟିଆ ବର୍ଷା ଯୋଗୁଁ ଆଦୌ ଧାନ ଚାଷ ଆଗେଇ ପାରୁନାହିଁ। ଫଳରେ ଚିନ୍ତାରେ ପଡିଛି ଚାଷୀ। ଜମିରେ ଗାଈ ଚରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଯଦି ଆସନ୍ତା ଏକ ସପ୍ତାହ ମଧ୍ୟରେ ଆବଶ୍ୟକ ପରିମାଣରେ ବର୍ଷା ନ ହୁଏ ତେବେ ବୁଣା ଯାଇଥିବା ତଳି ନଷ୍ଟ ହୋଇଯିବ ଆଉ ତଳି ପକାଇବା ପାଇଁ ବିହନ ମୁଠେ ବି ମିଳିବ ନାହିଁ। କିଛି ଦିନ ତଳେ ଭଲ ବର୍ଷା ହୋଇଥିଲା। ହେଲେ ହଠାତ୍ ବର୍ଷା ଗାଏବ ହୋଇ ପ୍ରବଳ ଖରା ଓ ଗରମ ହେଉଥିବା କାରଣରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ଯାହାକୁ ନେଇ ଧାନ ଚାଷୀ ଆଶା ଓ ଆଶଙ୍କାରେ ଗତି କରୁଥିବା ବେଳେ ଏ ସବୁ ଅଞ୍ଚଳରେ ଧାନ ଜମି ପଡିଆ ପଡିଛି। ଯାହାଦ୍ବାରା ଧାନ ଜମି ପାଲଟିଛି ଗୃହପାଳିତ ପଶୁଙ୍କ ଚାରଣ ଭୂମି। ସେପଟେ ଆଖ ପାଖ ଅଞ୍ଚଳରେ ଜଳ ସମ୍ପଦ ଉପଖଣ୍ଡ ଅଧିନରେ ଥ‌ିବା କେନାଲ ଗୁଡ଼ିକରେ ଘାସ ଏବଂ ଅନାବନା ଗଛ ଉଠି କେନାଲ ସଙ୍କୁଚିତ ହୋଇପଡିଛି। ବିଭାଗ ନା କେନାଲ ସଫା କରୁଛି ନା କେନାଲ ପାଣି ଯୋଗାଇ ଦେଉଛି। ଏନେଇ ଧାନ ଚାଷୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ରାଜ୍ୟ ଜଳ ସମ୍ପଦ ବିଭାଗ ତୁରନ୍ତ କେନାଲ ପାଣି ଯୋଗାଇ ଦେବା ପାଇଁ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.