ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବେହେରାପାଟୀ ଗ୍ରାମରେ ରହିଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ବିଦ୍ୟାଳୟରେ ଦୀର୍ଘ ଗୋଟିଏ ବର୍ଷ ଧରି କାର୍ଯ୍ୟରତ ପାଚିକା ସହାୟିକାଙ୍କୁ ଜାତିଆଣ ଆକ୍ଷେପ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚିତ୍ରଲେଖା ମହାପାତ୍ର କାର୍ଯ୍ୟରୁ ବାହାର କରିଦେଇଥିବା ନେଇ ହୋଇଛି ଅଭିଯୋଗ । ଏବେ ମାମଲା ଆସି ପହଂଚିଛି ନର୍ଲା ଥାନାରେ । ଜିଲ୍ଲା ସିଡ୍ୟୁଲକାଷ୍ଟ ଫେଡେରେସନ ତରଫରୁ ଏନେଇ ନର୍ଲା ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।
ଖବରରୁ ଜଣାପଡିଛି ଯେ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ପାଚିକା ଛାତ୍ରଛାତ୍ରୀଙ୍କୁ ରୋଷେଇ କରି ମଧ୍ୟାହ୍ନ ଭୋଜନ ଦେବାରେ ଅସୁବିଧା ହେବାରୁ ଗତବର୍ଷ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚିତ୍ରଲେଖା ମହାପାତ୍ର ପାଚିକା ସହାୟିକା ଭାବରେ କାର୍ଯ୍ୟ କରିବା ପାଇଁ ବେହେରାପାଟିର ଧୋବା ଜାତିର ମହିଳା ସୁଦେସ୍ନା ସେଠୀଙ୍କୁ ଡାକି ପାଚିକା ସହାୟିକା ଭାବରେ ନିଯୁକ୍ତି ଦେଇଥିଲେ । ନିଯୁକ୍ତି ଦେବା ସମୟରେ ସୁଦେସ୍ନା କହିଥିଲେ ମୁଁ ଧୋବା ଲୋକ । ଆପଣଙ୍କ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରୋଷେଇ କଲେ କିଛି ଅସୁବିଧା ହେବନିତ ବୋଲି ପ୍ରଶ୍ନ କରିବାରୁ ପ୍ରଧାନ ଶିକ୍ଷୟତ୍ରୀ ସ୍କୁଲରେ ସେସବୁ କିଛି ଭେଦଭାବ ନାହିଁ ବୋଲି ମଧ୍ୟ ସେତେବେଳେ ଆସ୍ୱାସନା ଦେଇଥିଲେ । ସବୁ ଠିକଠାକ ଚାଲିଥିଲା । ହେଲେ ସରସ୍ୱତୀ ପୂଜା ସମୟରେ ଅତିଥି ଏବଂ କମିଟି ସଦସ୍ୟ ମାନଙ୍କ ପାଇଁ ଭୋଜନ ନିମନ୍ତେ ଖାଦ୍ୟ ସାମଗ୍ରୀ ନଛୁଇଁବା ପାଇଁ ପ୍ରଧାନ ଶିକ୍ଷୟତ୍ରୀ ସୁଦେସ୍ନାକୁ ବାରଣ କରିଥିଲେ । ତାପରେ ମଧ୍ୟ ମନଦୁଃଖ ସତ୍ୱେ ସୁଦେସ୍ନା ପୂର୍ବବତ କାର୍ଯ୍ୟକରିଥିଲେ । ହେଲେ ଗ୍ରୀଷ୍ମ ଅବକାଶ ପରେ ତାଙ୍କୁ ଆଉ ବିଦ୍ୟାଳୟକୁ ନଆସିବାକୁ ପ୍ରଧାନ ଶିକ୍ଷୟତ୍ରୀ ମନା କରିଦେଇଥିଲେ ବୋଲି ସୁଦେସ୍ନା ତାଙ୍କ ମତାମତରେ କହିଛନ୍ତି ।
ଅନ୍ୟପକ୍ଷରେ ସୁଦେସ୍ନା ଆସି ରୋଷେଇ କରିଦେଉ ମୁଁ ତା ହାତରୁ ଖାଇବି । ମୋର ସେମିତି କିଛି ଜାତିଆଣ ବାଛ ବିଚାର ନାହିଁ । ଏହାଠୁ ବଳି ବଡ ପ୍ରମାଣ କଣ ଅଛି ବୋଲି କହିବା ସହିତ ସୁଦେସ୍ନା ପରିବା, ଡାଲି, ତେଲ, ମସଲା, କୋଇଲା ପ୍ରଭୃତି ସାମଗ୍ରୀ ଚୋରୀ କରି ନେଉଥିଲା । ଏଣୁ ପରିଚାଳନା କମିଟିର ସହମତି କ୍ରମେ ତାକୁ କାର୍ଯ୍ୟରୁ ବାହାର କରି ଦିଆଯାଇଛି ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମହାପାତ୍ର ମତବ୍ୟକ୍ତ କରିଛନ୍ତି । ଏବିଷୟରେ ସ୍କୁଲର ଅନ୍ୟ ପାଚିକାଙ୍କୁ ପଚାରିବାରୁ ସୁଦେସ୍ନା ଧୋବା ଲୋକ ହୋଇଥିବାରୁ କପଡା ଇସ୍ତ୍ରୀ କାମରେ ବ୍ୟବହାର ପାଇଁ ରୋଷେଇ ପରେ ଚୁଲିରେ ରହିଥିବା କୋଇଲା ନେଉଥିଲା । ଏବଂ ବଳକା ରହୁଥିବା ଭାତ ଡାଲି ଆମ ସାମନାରେ ନେଉଥିଲା ବୋଲି କହିଛନ୍ତି ।
ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚନ୍ଦ୍ର ମାହାରଙ୍କ ମତାମତ ନେବାରୁ ସେ କହିଛନ୍ତି ଯେ ମୋତେ ନଜଣାଇ, କୌଣସି ମିଟିଂ ନକରି ପ୍ରଧାନ ଶିକ୍ଷୟତ୍ରୀ ନିଜେ ରେଜୁଲେସନ ଲେଖି ସଦସ୍ୟ ମାନଙ୍କ ଦସ୍ତଖତ କରାଇ ମୋପାଖକୁ ଦସ୍ତଖତ ପାଇଁ ଆଣିବାରୁ ମୁଁ ଦସ୍ତଖତ କରିବା ପାଇଁ ମନା କରିଥିଲି । ଓ ପରିଚାଳନା କମିଟିଙ୍କୁ ନେଇ ମିଟିଂ କରିବା ପାଇଁ କହିଥିଲେ । ଏଥିରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମହାପାତ୍ର ମେଜରିଟି ସୁଡ ବି ଗ୍ରାଣ୍ଟେଡ ବୋଲି କହି ଚାଲିଯାଇଥିଲେ । ବାସ୍ତବିକ ସୁଦେସ୍ନା ପ୍ରତି ଅନ୍ୟାୟ କରାଯାଇଛି ବୋଲି ମତବ୍ୟକ୍ତ କରିଛନ୍ତି ।
ଏବିଷୟରେ ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଜାନୀଙ୍କୁ ପଚାରିବାରୁ ସେ କହିଲେ ମୋ ପାଖକୁ ମଧ୍ୟ ଏବିଷୟରେ ଅଭିଯୋଗ ଆସିଛି । ମୁଁ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଏବିଷୟରେ କାରଣ ଦର୍ଶାଅ ନୋଟିସ୍ ମଧ୍ୟ କରିଛି । ଏହାପରେ ପଦକ୍ଷେପ ନିଆଯିବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ପାଚିକା ସହାୟିକାଙ୍କୁ କାର୍ଯ୍ୟରୁ ବାହାର କରିଦେଇଥିବା ନେଇ ଶିକ୍ଷା ବିଭାଗ ଓ ନର୍ଲା ଅଞ୍ଚଳରେ ତୁମ୍ବି ତୁଫାନ ସୃଷ୍ଟି ହୋଇଛି । ପାଚିକା ସହାୟିକା ଦଳିତ ସମ୍ପ୍ରଦାୟର ମହିଳା ବୋଲି ତାଙ୍କୁ ଜାତିଆଣ ମନୋଭାବ ନେଇ ପ୍ରଧାନ ଶିକ୍ଷୟତ୍ରୀ ବାହାର କରିଦେଇଥିବା ନେଇ ଜିଲ୍ଲା ସିଡ୍ୟୁଲକାଷ୍ଟ ଫେଡେରେସନ ତରଫରୁ ଏନେଇ ନର୍ଲା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି ।