ସୁସ୍ଥ ଜୀବନ, ସୁସ୍ଥ ପରିବେଶ ଆମର କର୍ତ୍ତବ୍ଯ: ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ‘ବିଶ୍ବ ସାଇକେଲ ଦିବସ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଶ୍ବ ସାଇକେଲ ଦିବସ- ୨୦୨୪ ପାଳନ ଅବସରରେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ତତ୍ତ୍ବାବଧାନରେ ‘ବିଶ୍ୱ ସାଇକେଲ୍ ଦିବସ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ଦ୍ବାରା ଏକ ସ୍ବତନ୍ତ୍ର ସାଇକେଲ ରାଲି ଆୟୋଜିତ ହୋଇଥିଲା।

ସମସ୍ତେ ନିଜ ନିଜ ସାଇକେଲରେ ବିଶ୍ୱବିଦ୍ୟାଳୟ ନୂଆପାଢୀ କ୍ୟାମ୍ପସ ଠାରୁ ବାହାରି ସ୍ୱର୍ଣ୍ଣଚୁଡା କଲେଜ ଓ ମିତ୍ରପୁର ପର୍ଯ୍ୟନ୍ତ ଯାଇଥିଲେ। ସମସ୍ତ କର୍ମକର୍ତ୍ତା, ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଗଣ ଏଥିରେ ସାମିଲ ହୋଇ ଜନସଚେତନତା ପାଇଁ ସାଇକେଲ ଚାଳନାର ଉପକାରୀତା ସଂପର୍କିତ ବିଭିନ୍ନ ପ୍ଲାକାର୍ଡ ପ୍ରଦର୍ଶନ ସହ ସ୍ଳୋଗାନ ଦେଇଥିଲେ ଓ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ଯ, ସାଇକେଲ ଗୁଡିକ ପରିବହନର ସର୍ବ ପୁରାତନ ଏବଂ ଅତ୍ୟାବଶ୍ୟକ ମାଧ୍ୟମ ହୋଇଥାଏ। ସାଇକେଲ ଚଲାଇବା କେବଳ ଉପଭୋଗ୍ୟ ନୁହେଁ ବରଂ ଏକ ସୁସ୍ଥ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବହାରର ଅଭ୍ୟାସକୁ ପ୍ରୋତ୍ସାହିତ କରିଥାଏ। ଏଥିସହ ସାଇକେଲ ଚଳାଇବା ଅନେକ ବ୍ୟବହାରିକ ଲାଭ ପ୍ରଦାନ କରେ ଏବଂ ପରିବେଶ ସ୍ଥିରତା ପାଇଁ ସହାୟକ ହୋଇଥାଏ। ଏହି ସୁବିଧା ଉପରେ ଗୁରୁତ୍ୱ ଦେବା ଏବଂ ସାଇକେଲ ବ୍ୟବହାରକୁ ଉତ୍ସାହିତ କରିବା ପାଇଁ ଜୁନ୍ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ଭାବରେ ପାଳନ କରାଯାଏ । ଏହି ଦିନ ପାଳନ ମୂଖ୍ଯତଃ ସାଇକେଲ ଚାଳନା ମାଧ୍ୟମରେ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସୂଚିତ କରେ ଯେ ସାଇକେଲ ଚାଳନା ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ବଜାୟ ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭ୍ୟାସ । ଏହି କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର ପି.ଇ.ଓ ସଂଗ୍ରାମ କେଶରୀ ବିଶୋଇ ସଂଯୋଜନା କରି ବିଭିନ୍ନ ଶିକ୍ଷଣୀୟ ସାରାଂଶ ଯଥା, ” ସାଇକେଲ ଚଲାନ୍ତୁ : ସୁସ୍ଥ ରୁହନ୍ତୁ” , “ସାଇକେଲ ଚଲାଅ: ସ୍ବାସ୍ଥ୍ୟ ବଞ୍ଚାଅ “, ” ସାଇକେଲ ଚଲାଇ ପରିବେଶକୁ ପ୍ରଦୂଷଣ ମୁକ୍ତ କରନ୍ତୁ” ଇତ୍ୟାଦି ସ୍ଳୋଗାନ ଗୁଡିକୁ ରଚନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.