ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବିଶ୍ଵବିଦ୍ୟାଳୟର ସ୍ଥାପନା ଦିବସ ପାଳନ ପରିପେକ୍ଷୀରେ ଆୟୋଜିତ ବିବିଧ କାର୍ଯ୍ୟକ୍ରମ ଅନ୍ତର୍ଗତ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର କ୍ରୀଡା ପରିଷଦର ସଂଯୋଜନାରେ ପ୍ରାୟ ୧୦୦ ଜଣଙ୍କୁ ନେଇ ଏକ ବିଶାଳ ସାଇକେଲ ରାଲି ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ରାଲି କାର୍ଯ୍ୟକ୍ରମ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଥିଲା। ଏହା ବାଲେଶ୍ବର ସହର ସ୍ଥିତ ତେନ୍ତୁଳିଆ ଛକ ଠାରୁ ଆରମ୍ଭ ହୋଇ, ନୂଆପାଢୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ ଠାରେ ଶେଷ ହୋଇଥିଲା।ସାଇକେଲ ଚାଳନାର ମହତ୍ତ୍ବ ସହ ଆମ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ବୃଦ୍ଧିରେ ଏହାର ଭୂମିକାର ବାର୍ତ୍ତା ପ୍ରଦାନର ଉଦ୍ଦେଶ୍ଯ ନେଇ ଏହି ରାଲିର ଆୟୋଜନ ହୋଇଥିଲା। ଏ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ସହ ସଚେତନତା କରିବାର ପ୍ରୟାସ କରାଯାଇଥିଲା।ଏଥିସହିତ ପରିବେଶକୁ ପ୍ରଦୁଷଣମୁକ୍ତ କରିବା ଓ ଏକ ସୁସ୍ଥ ବାୟୁମଣ୍ଡଳର ଗଠନ ଦିଗରେ ଆମେ ସାଇକେଲ ଚାଳନାକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମତବ୍ୟକ୍ତ କରିଥିଲେ ଓ ସାଇକେଲ ଚାଳନାକୁ ଦୈନନ୍ଦିନ ଜୀବନରେ ଏକ ପ୍ରମୁଖ ଅଂଶବିଶେଷ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି ରାଲିରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ-ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ତଥା ବହୁସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ଏହି ସଚେତନଶୀଳ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ। ପ୍ରକାଶଥାଉ, ଆସନ୍ତା ୧୧ ତାରିଖରେ ଫକୀରମୋହନ ବିଶ୍ବବିଦ୍ୟାଳୟ ନିଜର ୨୬ତମ ସ୍ଥାପନା ଦିବସ ପାଳନ କରିବାକୁ ଯାଉଛି। ଏହି ତିନିଦିନ ଧରି ବିଭିନ୍ନ ଜନମଙ୍ଗଳ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଚାରାରୋପଣ କାର୍ଯ୍ୟକ୍ରମ ସରିଥିବା ବେଳେ ୧୦ ତାରିଖରେ ଏକ ରକ୍ତଦାନ ଶିବିରର ଆୟୋଜନ ନୂଆପାଢୀ କ୍ୟାମ୍ପସରେ କରାଯାଇଛି।