ସମଗ୍ର ଶିକ୍ଷା ପକ୍ଷରୁ ସିଆରସିସିଙ୍କୁ ପ୍ରଶିକ୍ଷଣ ଓ ସମୀକ୍ଷା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ତାହାର ପ୍ରତିଟି ଅଙ୍ଗ ପ୍ରତି ଗୁରୁତ୍ଵ ଦେବାକୁ ପଡ଼ିବ। ସେଥିପାଇଁ ବିଦ୍ୟାଳୟର ଭିତ୍ତିଭୂମି, ଶୈକ୍ଷିକ କାର୍ଯ୍ୟକ୍ରମ ଓ ଗୋଷ୍ଠୀ ସହଯୋଗରେ ପରିପକ୍ୱତା ଆବଶ୍ୟକ। ଏଥିପାଇଁ ନିଜ ନିଜ କ୍ଲଷ୍ଟରର ବିଦ୍ୟାଳୟଗୁଡ଼ିକୁ ନିୟମିତ ପରିଦର୍ଶନ ସହ ସମସ୍ୟାକୁ ତୁରନ୍ତ ସମାଧାନ ପାଇଁ ପ୍ରୟାସରତ ହେବା ଜଣେ ସିଆରସିସିଙ୍କ କର୍ତ୍ତବ୍ୟ ବୋଲି କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଶା ରେଡ୍ଡୀ ମତପ୍ରକାଶ କରିଛନ୍ତି।

ଭବାନୀପାଟଣା ସ୍ଥିତ ବ୍ରଜମୋହନ ହାଇସ୍କୁଲ ଶତବାର୍ଷିକୀ ପ୍ରକୋଷ୍ଠରେ ଜିଲ୍ଲାର ପୁରାତନ ଓ ନବନିଯୁକ୍ତ ସିଆରସିସି ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଓ ସମୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଶା ରେଡ୍ଡୀ ଯୋଗ ଦେଇ ନବନିଯୁକ୍ତ ସିଆରସିସିଙ୍କୁ ମାର୍ଗଦର୍ଶନ କରିଥିଲେ। ସେହିପରି ଶ୍ରୀ ଚୋପଦାର ସିଆରସିସିଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଶିକ୍ଷକ ପ୍ରଶିକ୍ଷକ ଈଶ୍ୱରଚନ୍ଦ୍ର ବେହେରା, ପ୍ରୋଗ୍ରାମର ସୌମେନ୍ଦ୍ର ପଟ୍ଟନାୟକ, ବାଳିକା ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା ଯୋଗଦେଇ ସିଆରସିସିଙ୍କ କାର୍ଯ୍ୟଧାରା ଉପରେ ଆଲୋଚନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ସମଗ୍ର ଶିକ୍ଷାର ଶୈକ୍ଷିକ ସଂଯୋଜିକା ଶ୍ରଦ୍ଧାଞ୍ଜଳି ଦାଶ ପରିଚାଳନା କରିଥିଲେ। ଏଥିରେ ଜିଲ୍ଲାର ୧୩ଟି ବ୍ଲକର ପୁରାତନ ଓ ନବନିଯୁକ୍ତ ସିଆରସିସି ମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.