ଧଁଅରାଭଟାରେ ଜଙ୍ଗଲୀ ହାତୀପଲଙ୍କ ଉପଦ୍ରବ: ଘର ଭାଙ୍ଗିଲେ ଧାନ ଚାଉଳ ଖାଇଲେ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ଅନ୍ତର୍ଗତ କାନକୁଟ୍ରୁ ପଞ୍ଚାୟତ ସ୍ଥିତ ଧଁଅରାଭଟା ଗାଁରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମଙ୍ଗଳବାର ବିଳମ୍ବିତ ରାତ୍ରିରେ ୧୨ଟିକିଆ ହାତୀପଲ ଧଁଅରାଭଟା ଗାଁକୁ ପଶି ଆସିଥିବାବେଳେ ଲବଜି ବିଭାର ଓ କୁଳମଣି ସୁନାଙ୍କ ଘରଦ୍ବାର ଭାଙ୍ଗିବା ସହିତ ଘରେଥିବା ଧାନ, ଚାଉଳ ଓ ଆସବାବପତ୍ରକୁ ଦଳିମକଚି ନଷ୍ଟ କରିଦେଇଛନ୍ତି। ଲବଜି ବିଭାରର ରୋଷେଇ ଘର ଓ ଘର ପଛ କାନ୍ଥକୁ ଭାଙ୍ଗି ଦେଇ ଧାନ ଚାଉଳ ନଷ୍ଟ କରିଦେଇଥିବା ବେଳେ କୁଳମଣି ସୁନାଙ୍କ ଘର ମୁହଁ ଆଜବେଷ୍ଟ ଭାଙ୍ଗି ଘରେ ଥିବା ଚାଉଳ ଓ ୧୨ବସ୍ତା ଧାନରୁ ୬ବସ୍ତା ଧାନ ସମ୍ପୂର୍ଣ ନଷ୍ଟ କରିଦେଇଛନ୍ତି।

ସୂଚନାଯୋଗ୍ୟ ମଙ୍ଗଳବାର ବିଳମ୍ବିତ ରାତିରେ ହଟାତ ହାତୀପଲ ଆସି ଘର ଚାରିପାର୍ଶ୍ୱରେ ଘେରି ରହିଥିବା ଜାଣି ଲବଜି ଓ କୁଳମଣିଙ୍କ ପରିବାର ଜୀବନ ବିକଳରେ ଘର ପଛପଟେ ଏକ ଝରକା ଫାଙ୍କାରୁ ଡେଇଁ ବାହାରକୁ ପଳାଇ ଯାଇଥିଲେ। ତେବେ ଘରଦ୍ବାର,ଆବାସପତ୍ର ଓ ଲୁଗାପଟା ଆଦି ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ଦୁଇଟି ପରିବାର ଏବେ ସର୍ବସ୍ବାନ୍ତ ହୋଇ ପଡ଼ିଛନ୍ତି।

 

ଏସମ୍ପର୍କରେ ଖବର ପାଇ ମୂଷାନାଲ ଫରେଷ୍ଟର ଚିନ୍ତାମଣି ମାଝୀ ଏବଂ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି। ତେବେ ବନବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯିବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.