ମା ଦୁର୍ଗାଙ୍କ ଆଗମନର ବାର୍ତ୍ତା ଦେଉଛି କାଶତଣ୍ଡୀ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହର ନିକଟରେ ପ୍ରବାହିତ ଋଷିକୂଲ୍ୟା ନଦୀ, ଖରଖରୀ ନଈ, ଜୟମଙ୍ଗଳ ନାଳ, ହୀରାଧାର ବାଟିଆ କେନାଲ ତଟ ସମେତ ବିଲହୁଡା ସବୁଠାରେ କାଶତଣ୍ଡୀ ଫୁଲର ସମ୍ଭାର। ଏହା ଆଭାସ ଦେଲାଣି ମାଙ୍କ ଆଗମନ ପାଖେଇ ଆସୁଛି। ମାଟି ଅନୁକୂଳ ସରିଲାଣି। ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଦେଲେଣି ଶିଳ୍ପୀ। ଆଉ କିଛି ଦିନର ଅପେକ୍ଷା। ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇ ଉଠିବ ଘଣ୍ଟଘଣ୍ଟା, ଢୋଲଓ ମହୁରୀର ତାଳରୋ। ଧୁପ ଓ ଝୁଣାରେ ମହକି ଉଠିବ ଗାଁ ଠାରୁ ସହର ବଜାର। ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଆଗମନ କରିବେ ମା ଜଗତଜନନୀ ଦୁର୍ଗା। ମାଙ୍କ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ପୂଜା କମିଟି ପ୍ରସ୍ତୁତିରେ ଲାଗି ପଡିଛନ୍ତି।

ଶରତ ଋତୁ ଆଗମନରେ ସବୁଆଡେ ପାର୍ବଣର ମାହୋଲ। ଧିରେ ଧିରେ ପବନର ସ୍ପର୍ଷରେ କାଶତଣ୍ଡୀ ଫୁଲର ସୌନ୍ଦର୍ଯ୍ୟ ସବୁଆଡେ ଖେଳି ଯାଇଛି। ଭକ୍ତଜନଙ୍କ ଅପେକ୍ଷାର ଅନ୍ତ ଘଟାଇ ଧରା ପୃଷ୍ଠରେ ବିରାଜିବେ ମହିଷାମର୍ଦ୍ଦିନୀ। ମାଙ୍କ ଆଗମନକୁ ନେଇ ସବୁ ଆଡେ ଏବେ ଖୁସିର ଆସର ଜମିଲାଣି। ସେ ଚାଷ ଜମି ହେଉ କି ନଦୀ ପଠା ସବୁଆଡେ ଏବେ ଦେଖିବାକୁ ମିଳୁଛି ଧବଳମୟ ପରିବେଶ। ମାଙ୍କ ଆଗମନର ବାର୍ତ୍ତା ନେଇ କାଶତଣ୍ଡୀ ଧରାକୁ ସଜ୍ଜିତ କଲାଣି।

ଧରଣୀର ଏହି ସୁନ୍ଦର ମାଦକତା ରୁପକୁ ମନ ଭରି ଉପଭୋଗ କରିବା ପାଇଁ ରାସ୍ତାରେ ବାଟୋଇଟେ ଘଡିଏ ପାଇଁ ଅଟକି ଯାଉଛି। ଏହି ସୌନ୍ଦର୍ଯ୍ୟକୁ ଦେଖି ଆତ୍ମହରା ବିମୁଗ୍ଧ ଭାବୁକ କବି। ମନରେ ଅନେକ ପ୍ରଶ୍ନ କ’ଣ ଲେଖିବ କାଶତଣ୍ଡୀର ଏହି ରୂପ ସମ୍ଭାରକୁ ନେଇ। ମା ଦୁର୍ଗାଙ୍କ ନିକଟରେ ନିଜକୁ ସମର୍ପି ଦେବା ଲାଗି ଅପେକ୍ଷା କରିଛି ପ୍ରକୃତିର ବିସ୍ମୟ ତୁଷାର ଧବଳ କାଶତଣ୍ଡୀ। ସତେକି ଯେପରି ଧରିତ୍ରୀ ଧବଳ ଶାଢ଼ୀ ପରିହିତା ହୋଇ ମାଆଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛି। ସତେକି କବିର କଳ୍ପନାକୁ ରଙ୍ଗ ଯୋଗାଉଛି ଏହି କାଶତଣ୍ଡୀ, ଆପେକ୍ଷା କେବଳ ମାଙ୍କ ପାଇଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.