ପ୍ରତିଶୃତି ମୁତାବକ ଭତ୍ତା ୩୦୦୦ଟଙ୍କା ଶୀଘ୍ର ଘୋଷଣା ଦାବି;  ଭବାନୀପାଟଣା ସହରର ୧୫ ନଂ ଓ୍ବାର୍ଡରେ ହିତାଧିକାରୀମାନଙ୍କର ସମାବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜେପି ସରକାର ହେବା ପରେ ରାଜ୍ୟର ସମସ୍ତ ଭତ୍ତାଧିକାରୀ ଖୁସି ଥିଲେ ଯେ ସରକାର ପ୍ରତିଶୃତି ମୁତାବକ ସାମାଜିକ ଭତ୍ତା ୩୦୦୦ଟଙ୍କା ଘୋଷଣା କରି ସେମାନଙ୍କର ଆଶା ପୁରଣ କରିବେ । କିନ୍ତୁ ମୋହନ ସରକାର ହେବାର ୮ମାସ ପରେ ବି ଚଳିତ ବର୍ଷ ତୃତୀୟ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ଯାୟରେ ବାକି ରହି ଯାଇଥିବା ୬୦ବର୍ଷରୁ ଉର୍ଦ୍ଧ୍ବ ବୁଢାବୁଢି, ବିଧବା, ଅବିବାହିତା ଓ ୪୦%ରୁ ଉର୍ଦ୍ଧ୍ବ ଭିନ୍ନକ୍ଷମ ପାଖାପାଖି ୫୭ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ନିରାଶ କରିଛନ୍ତି । ତେଣୁ ଭବାନୀପାଟଣା ସହର ୱାର୍ଡ ନଂ ୧୫ର ୧୦୦ରୁ ଉର୍ଦ୍ଧ୍ବ ଭତ୍ତା ହିତାଧିକାରୀଙ୍କୁ ନେଇ “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନର ସଂଗଠକ ଇଂ. ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ବରେ ଭତ୍ତା ୩୦୦୦ଟଙ୍କା ଘୋଷଣା ଦାବିରେ ପୁରୁଣାପଡା ୟୁପି ସ୍କୁଲ ଛକ ପାଖ ଗୋଷ୍ଠୀ କେନ୍ଦ୍ରରେ ଏକ ସମାବେଶ ହୋଇଯାଇଅଛି । ତୃତୀୟ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ଯାୟରେ ଭତ୍ତା ୩୦୦୦ଟଙ୍କା ଉପସ୍ଥାପନା ନ ହେବାରୁ ଇଂ. ଲକ୍ଷ୍ମୀନାରାୟଣ ପଣ୍ଡା ସରକାରଙ୍କୁ ସମାଲୋଚ଼ନା କରିବା ସହ ସରକାର ପୁଣି ଥରେ ଗରିବ ଲୋକଙ୍କୁ ଠକିଛନ୍ତି ବୋଲି କହିଛନ୍ତି ଏବଂ ଆସନ୍ତା ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ହେବାକୁ ଥିବା ବଜେଟ୍ ର ଦ୍ୱିତୀୟ ପର୍ଯ୍ଯାୟ କାର୍ଯ୍ୟକ୍ରମରେ ଘୋଷଣା କରିବା ପାଇଁ ଦାବି କରିଛନ୍ତି । ଯଦି ଘୋଷଣା ନ ହୁଏ ହଜାର ହଜାର ସଂଖ୍ଯାରେ ହିତାଧିକାରୀ ଯାଇ ଜିଲ୍ଲାପାଳ ଅଫିସ୍ ଘେରାଉ କରିବେ ବୋଲି ବୈଠକରେ ମତପ୍ରକାଶ ପାଇଛି । ଭତ୍ତାଧିକାରୀଙ୍କ ସଂଖ୍ଯା ବଢାଇ ରାଜ୍ୟରେ ବିଭିନ୍ନ ଭତ୍ତା ଅପେକ୍ଷାରେ ରହିଥିବା ୫ଲକ୍ଷ ଆବେଦନକାରୀଙ୍କ ଆବେଦନକୁ ତୁରନ୍ତ ଗ୍ରହଣ କରିବା ପାଇଁ ମଧ୍ଯ ଅନୁରୋଧ କରାଯାଇଅଛି । ବିଧାୟକମାନଙ୍କ ଦରମା ୨ଲକ୍ଷ ୭୫ହଜାରକୁ ବୃଦ୍ଧି ହେଇପାରୁଛି ତାହେଲେ ଆମକୁ ୩୦୦୦ଟଙ୍କା ଦେବାରେ ପଛଘୁଞ୍ଚା କ’ଣ ପାଇଁ ବୋଲି ହିତାଧିକାରୀମାନେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବୈଠକରେ ବରିଷ୍ଠ ସଦସ୍ଯ ନିରୋଦ କୁମାର ରାଉତ, ଚାଷୀ ନେତା ଲିଙ୍ଗରାଜ ପ୍ରଧାନ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ପ୍ରଧାନ, ମଧୁଲାଲ ନାଏକ ନିଜ ନିଜ ମତ ରଖିବା ସହ ପ୍ରତ୍ଯେକ ୱାର୍ଡରେ ଜନସଚେତନତା ଜାରି ରଖି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ କହିଥିଲେ । ସୌମ୍ୟରଂଜନ କର ଏବଂ ବନିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.