ବୋହୁର ମୃତଦେହ ଦେଖି ଟଳି ପଡ଼ିଲେ ଶାଶୁ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗୀର ସହରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବୋହୁର ଝୁଲନ୍ତା ମୃତଦେହ ଦେଖି ଶାଶୁର ଚାଲିଗଲା ଜୀବନ। ପାରିବାରିକ କଳହକୁ ନେଇ ଘର ଭିତରେ ଦୋଉଡ଼ି ଲଗାଇ ଝୁଲି ପଡ଼ିଲେ ବୋହୁ। ଘରେ ନଥିଲା ପୁଅ, ଏହି ଅଘଟଣ ସମ୍ପର୍କରେ ଫୋନ୍ କରି ସୂଚନା ଦେଲେ ମା। ପୁଅ ଘରେ ପହଞ୍ଚିବା ପୂର୍ବରୁ ହୃଦଘାତରେ ମା ଚାଲିଗଲେ ଆର ପାରିକୁ। ବୋହୁର ଝୁଲନ୍ତା ମୃତଦେହ ଦେଖି ହୃଦଘାତରେ ଶାଶୁ ଆଖି ବୁଜିଥିବା ଆଲୋଚନା ହେଉଛି। ବଲାଙ୍ଗିର ସହର ଇନ୍ଦିରା ନଗର୍ ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ଇନ୍ଦିରା ନଗରର ଗୌରହରି ସାହୁଙ୍କ ସ୍ତ୍ରୀ ଆନନ୍ଦିନି ଘରେ ଦୋଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଘରେ ସେହି ସମୟରେ ଆନନ୍ଦିନୀଙ୍କ ଦିଦ୍ୟାଙ୍ଗ ଶଶୁର ଏବଂ ଶାଶୁ ଜମ୍ଭୁବତୀ ଥିଲେ। ଗୌରହରି ଏବଂ ତାଙ୍କ ଭାଇ ସଲଣ୍ଡି ଗାଁରେ ଅନୁଷ୍ଠିତ ଏକ ବିବାହ ଉତ୍ସବରେ ଯୋଗା ଦେବାପାଇଁ ଯାଇଥିଲେ। ବୋହୁ ଆନନ୍ଦିନୀଙ୍କ ଝୁଲନ୍ତା ମୃତଦେହ ପ୍ରଥମେ ଦେଖିଥିଲେ ଶାଶୁ ଜମ୍ଭୁବତୀ। ମାଙ୍କ ଠାରୁ ଏହି ଅଘଟଣ ବିଷୟରେ ସୂଚନା ପାଇବାପରେ ଗୌରହରି ଶଶୁର ରମେଶ ସାହୁଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ମୃତ ଆନନ୍ଦିନୀଙ୍କ ପରିବାର ଲୋକେ ପହଞ୍ଚିବା ପୂର୍ବରୁ ଉଭୟ ମୃତଦେହକୁ ଉଦ୍ଧାର କରି ଭୀମଭୋଇ ମେଡ଼ିକାଲ କଲେଜ ଓ ହସପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ। ଝିଅ ଆନନ୍ଦିନୀଙ୍କ ଏଭାଲି ରହସ୍ୟ ଜନକ ମୃତ୍ୟୁକୁ ନେଇ ସନ୍ଧେହ ବ୍ୟକ୍ତ କରିଛନ୍ତି ବାପା ରମେଶ। ଝିଅ ଆତ୍ମହତ୍ୟା କରିନାହିଁ ବରମ୍ ତାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି। ଗୌରଗୋଠ ଅଞ୍ଚଳର ଆନନ୍ଦିନୀ ଦୀର୍ଘ ୧୧ ବର୍ଷ ତଳେ ଗୌରହରିଙ୍କ ସହ ବିବାହ କରିଥିଲେ। ବର୍ତ୍ତମାନ ଆନନ୍ଦିନୀ ପଛରେ ଛାଡ଼ି ଯାଇଛନ୍ତି ତାଙ୍କ ଦୁଇ ଯମଜ ସନ୍ତାନ। ତେବେ ଟାଉନ ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.