ରେଖପୁର ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ: ସିଂହାସନରେ ରାଧାକୃଷ୍ଣ, ମଣ୍ଡପରେ ନାମ ଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରେଖପୁର ଗ୍ରାମରେ ପ୍ରତିଷ୍ଠା ହୋଇଛି ରାଧାକୃଷ୍ଣ ମନ୍ଦିର। ଶ୍ରୀ ଶ୍ରୀ ରାଧାକୃଷ୍ଣ ସିଂହାସନରେ ବିରାଜିତ ହୋଇ ଭକ୍ତଜନଙ୍କୁ ଆଶିଷ ପ୍ରଦାନ କରୁଛନ୍ତି। ଏପଟେ ମଣ୍ଡପରେ ଚାଲିଛି ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ। ଫାଲଗୁନ ମାସରେ ଏକ ଭକ୍ତିମୟ ପରିବେଶ ରେଖପୁର ଗାଁକୁ ସୁନ୍ଦର ଭାବେ ଗଢିତୋଲିଛି। ଗତ ମାର୍ଚ୍ଚ ୭ରୁ ପ୍ରାତଃ ଜଳଯାତ୍ରା ସହ ବିଭିନ୍ନ ପର୍ଯ୍ୟାୟ ଦେଇ ଚାଲିଥିଲା ମନ୍ଦିର ପ୍ରତିଷ୍ଠା କର୍ମ। ମାର୍ଚ୍ଚ ୧୧ରେ ଶ୍ରୀ ରାଧାକୃଷ୍ଣ ବୈଦିକ ବିଧାନ ଅନୁସାରେ ସିଂହାସନ ଆରୋହଣ କରିଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପଣ୍ଡିତ ମନୋଜ କୁମାର ସତପଥି ଏବଂ ସାଥି ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରତିଟି ପର୍ଯ୍ୟାୟ ସୂଚାରୁରୂପେ ସଂପାଦନ କରିଥିଲେ। ଏଥିରେ କର୍ତ୍ତା ଭାବେ ରେଖପୁର ଗୈାନ୍ତିଆ ଟଙ୍କଧର ଭୋଇଙ୍କ ସୁପୁତ୍ର ଟର୍ଜିନ ଭୋଇ ଏବଂ ପୁତ୍ରବଧୂ ବାସନ୍ତୀ ଭୋଇ, ଅନ୍ୟତମ କର୍ତ୍ତା ଭାବେ ସାନ ଗୈାନ୍ତିଆ ସ୍ବର୍ଗତ କାମଦେବ ଭୋଇଙ୍କ କନିଷ୍ଠ ପୁତ୍ର ଗୁଣନିଧି ଭୋଇ ଏବଂ ପୁତ୍ରବଧୂ ରାଜଶ୍ରୀ ଭୋଇ, ଟିକେରାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଶୋଭାବତୀ ଭୋଇ, ଦୟାନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଭୋଇ, ଶ୍ୟାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଭୋଇ କାର୍ଯ୍ୟ ସଂପାଦନ କରିଥିଲେ। ବୁଧବାର ଠାରୁ ଆରମ୍ଭ ହୋଇଛି ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ। ଗୁରୁବାର କାର୍ଯ୍ୟକ୍ରମର ସପ୍ତମ ଦିବସରେ ଅନବରତ ଭାବେ ଚାଲିଥିଲା ନାମ ସଂକୀର୍ତ୍ତନ। ଶୁକ୍ରବାର କାର୍ଯ୍ୟକ୍ରମର ଅଷ୍ଟମ ଦିବସ ଏବଂ ଶନିବାର ମହୋତ୍ସବ ଉଦଯାପିତ ହେବ। ନାମ ଯଜ୍ଞ ମଣ୍ଡପ ଏବଂ ମନ୍ଦିର ମଧ୍ୟକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନେ ରାଧାକୃଷ୍ଣଙ୍କୁ ଦର୍ଶନ କରୁଛନ୍ତି। ମିନାବଜରରେ ମଧ୍ୟ ଭିଡ଼ ଲାଗି ରହିଛି। ନବଦିନ ବ୍ୟାପି ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମ ମାର୍ଚ୍ଚ ୧୫ ଶନିବାର ଦିନ ସମାପନ ହେବ। ପଣ୍ଡିତ ଅର୍ଜୁନ ମିଶ୍ରଙ୍କ ସହ ବିଷ୍ଣୁ ବଡ଼ପଣ୍ଡା ଓ ବିଶି ପଣ୍ଡା ନାମ ଯଜ୍ଞର ପୂଜନ ଏବଂ ଅନ୍ୟାନ୍ୟ ଦାଇତ୍ୱ ନିର୍ବାହ କରୁଛନ୍ତି। ରାଧାକୃଷ୍ଣ ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ, ସାଧାରଣ ସମ୍ପାଦକ ଲବିନ୍ଦ୍ର ସେଲମା, କୋଷାଧ୍ୟକ୍ଷ ମୋହନ ଭୋଇ, ମନ୍ଦିର ପ୍ରତିଷ୍ଠା ଏବଂ ପରିଚାଳନା କମିଟି ସଭାପତି ନାରାୟଣ ସେଲମା, ଉପସଭାପତି ଯୁଧିଷ୍ଠିର ଭୋଇ, ସମ୍ପାଦକ ଗୁଣମଣି ଭୋଇ, ଯୁଗ୍ମ ସଂପାଦକ ସତ୍ୟଧର୍ମ ଭୋଇ, କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ପୋଢ଼, ଉପକୋଷାଧ୍ୟକ୍ଷ ଟିକେରାମ ଭୋଇଙ୍କ ସହ ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। ପ୍ରତିଦିନ ମଧ୍ୟାହ୍ନ ଓ ରାତିରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଆନନ୍ଦ ବଜାର ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ମନ୍ଦିର ପ୍ରତିଷ୍ଠା କର୍ମ ଓ ନାମ ଯଜ୍ଞରେ ପ୍ରବଳ ଜନସମାଗମ ହେଉଥିବା ଦେଖିବାକୁ ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.